ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ସପିପିକୁ ୱାଗନେରେ ଆସୁଥିବା କୋଇଲାକୁ ଏକାଠି କରିବା ପାଇଁ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଏକ ଅତ୍ୟାଧୁନିକ ଷ୍ଟାକର ମେସିନ କାମ କରିଥାଏ । ଏହାକୁ ଅପରେଟର ଚଳାଇଥାନ୍ତି । ଶୁକ୍ରବାର ଏହି ଷ୍ଟାକର ମେସିନର କ୍ୟାବିନରେ ଅପରେଟର ବିମ୍ବାଧର ଦାସ ଓ ଠିକା ଶ୍ରମିକ ଛବି ମୋହନ ଭୋଳ କୋଇଲା ଏକାଠି କରୁଥିବା ବେଳେ ହଠାତ୍ ମେସିନଟି ଭାଙ୍ଗି ଯାଇଥିଲା । ଫଳରେ ନାଲକୋ କର୍ମଚାରୀ ବିମ୍ବାଧର ଓ ଠିକା ଶ୍ରମିକ ଛବି ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ତରୁନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ବିମ୍ବାଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବିମ୍ବାଧରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ବୋଲି ଜଣାଯାଇଛି । ଷ୍ଟାକର ମେସିନ ପୁରୁଣା ହେଲାଣି । ଏହାକୁ ଠିକ ସମୟରେ ମରାମତି କରାଯାଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି । ଏ ନେଇ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡାଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ସେ ମୋବାଇଲ ଫୋନ୍ ଉଠାଇ ନଥିଲେ । ଶୁକ୍ରବାର ନାଲକୋ ୪୨ ବର୍ଷରେ ପହଞ୍ଚି ତାର ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ଖରାପ ଯନ୍ତ୍ରପାତିରେ ଶ୍ରମିକ ଓ କର୍ମଚାରୀ ଲହୁ ଲୁହାଣ ହେବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା !!!

