ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ହଟିଲା : ଢ଼ିଙ୍କିଆ ଗାଁରେ ଜୋରରେ ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପରିପାର୍ଶ୍ଵିକ ପ୍ରତିବନ୍ଧକ ହଟିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠା ବିରୋଧ ରେ ଆନ୍ଦୋଳନ କରି ଆସୁଥିବା ଢ଼ିଙ୍କିଆ ଗାଁରେ ଏବେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି । ଆଜି ସେହି ଗାଁରୁ 50 ଟି ପାନବରଜ ମାପଚୁପ କରାଯାଇଥିଲା ବେଳେ ସେଥିରୁ ୩୨ ଟି ପାନବରଜ ଭଙ୍ଗା ଯାଇଛି । ଦୀର୍ଘ ବର୍ଷ ଧରି ଢ଼ିଙ୍କିଆ ଗାଁର ଲୋକେ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଥିବା ବେଳେ ସେମାନଙ୍କ ଗାଁ ର କିଛି ଲୋକ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ଲୋକଙ୍କ ସହମତିରେ ଏହି କାର୍ଯ୍ୟ ଆଗେଇ ଚାଲିଛି । ଏରସମା ର ତହସିଲଦାର ଚୈଧୁରୀ ପ୍ରଞ୍ଜାନନ୍ଦ ଦାସଙ୍କ ନେତୃତ୍ୱରେ 5 ଟି ଟିମ୍ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଅପର ପକ୍ଷରେ ଆଜି ଗୋବିନ୍ଦପୁର ଗାଁରେ ମଧ୍ୟ ସ୍ଥାନୀୟ ଲୋକ ମାନଙ୍କ ଫଳନ୍ତି ଗଛର ଚିହ୍ନଟ ଓ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ତହସିଲଦାରଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ପରେ ଗାଁ ଲୋକେ ସହଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ଯାହା ମୂଲ୍ୟାୟନ କରାଯିବ ସେହି ଅନୁସାରେ ଲୋକଙ୍କୁ ସେମାନଙ୍କର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ । ସେହିପରି ପାଟଣା ପଟୁ ଆଜି ଇତକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ କରାଯାଇଛି । ଏହି ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ତଥା ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି । ଆଜି ସୁଦ୍ଧା ଢ଼ିଙ୍କିଆ ପଞ୍ଚାୟତରେ ୩୩୬ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ପ୍ରାୟ ୪୫୦ ବରଜ ମାପଚୁପ କରାଯାଇଛି । ସେଥିରୁ ୨୪୫ ଜଣ ହିତାଧିକାରୀଙ୍କୁ ପ୍ରାୟ ୬ କୋଟି ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅନେକ ହିତାଧିକାରୀ ପାନବରଜ ଭାଙ୍ଗିଥିବା ବେଳେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବାରେ ବିଳମ୍ବ କରୁଥିବାରୁ କ୍ଷତିପୂରଣ ପାଇବାରେ ବିଳମ୍ବ ହେଉଥିବାର ଦେଖିବାକୁ ମିଳିଛି । ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟ ଦିନକୁ ଦିନ ଆଗେଇ ଚାଲିଥିବା ବେଳେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

Leave a Reply

Your email address will not be published. Required fields are marked *