ଆର.ଉଦୟଗିରିକୁ ନୂତନ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ !!

0
221

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି ଉଠାଇଛି ଭାରତ ବିକାଶ ପରିଷଦ ଓ ଆର ଉଦୟଗିରି ବିକାଶ ମଞ୍ଚ । ଏନେଇ ଭାରତ ବିକାଶ ପରିଷଦ ଓ ଆର ଉଦୟଗିରି ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦର ପାଞ୍ଚ ଜଣିଆ କମିଟି ଓ ସ୍ଥାନୀୟ ବିକାଶ ମଞ୍ଚର କର୍ମକର୍ତ୍ତା ସରପଞ୍ଚ ସଂଯୁକ୍ତା ପୂଜାରୀ, କେତେକ ବୁଦ୍ଧିଜୀବୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଦାବୀ ଉପସ୍ଥାପନ କରିଥିଲେ । ମୋହନା, ନୂଆଗଡ, ଆର.ଉଦୟଗିରି, ରାୟଗଡ ବ୍ଲକକୁ ନେଇ ଆର ଉଦୟଗିରି ଠାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସ୍ଥାପନ ଦାବୀ କରାଯାଇଛି ।ଆଗାମୀ ଏକ ମାସ ମଧ୍ୟରେ ଯଦି ଦାବୀ ପୂରଣ ନ ହୁଏ ତାହା ହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲା ଗଠନ ଠାରୁ ପାରଳାଖେମୁଣ୍ଡି ସବ୍ ଡିବିଜନ ସହ 7ଟି ବ୍ଲକ ଓ ତହସିଲ,149 ଟି ଗ୍ରାମପଞ୍ଚାୟତ ଓ 1619 ଟି ରାଜସ୍ୱ ମୌଜା ତଥା ପାରଳାଖେମୁଣ୍ଡି ସହରାଞ୍ଚଳ ରହିଛି । 2011 ଜନଗଣନା ଅନୁସାରେ ଗଜପତି ଜିଲ୍ଲାରେ 7 ଟି ବ୍ଳକ ଓ ପାରଳାଖେମୁଣ୍ଡି ସହରାଞ୍ଚଳକୁ ନେଇ ମୋଟ ଜନସଂଖ୍ୟା 5 ଲକ୍ଷ 77 ହଜାର 8 ଶହ 17 ଅଟେ । ସେଥିମଧ୍ୟରୁ ଆଦିବାସୀ ଜନସଂଖ୍ୟା 3 ଲକ୍ଷ 13 ହଜାର 7ଶହ 14, ଯାହାକି ମୋଟ ଜନସଂଖ୍ୟାର ଶତକଡ଼ା 55 ପ୍ରତିଶତ । ସେଥିମଧ୍ୟରୁ ମୋହନା, ଆର.ଉଦୟ ଗିରି, ନୂଆଗଡ ଆଦିବାସୀ ବହୁଳ ଅଂଚଳ ଅଟେ । ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମୋହନା ବ୍ଳକ ଦୂରତା 107 କି ମି, ସେହିପରି ଆର.ଉଦୟଗିରି ଠାରୁ 60 କି ମି, ନୂଆଗଡ଼ ବ୍ଳକ ଠାରୁ 85 କି ମି, ରାୟଗଡ଼ ବ୍ଳକ 30କି ମି ଦୂର । ଆଦିବାସୀ ହରିଜନ ଯଥା ସାଧାରଣ ଜନତା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାତାୟାତ କରିବା ଅତ୍ୟନ୍ତ ବ୍ୟୟବହୁଳ ଓ ସମୟ ସାପେକ୍ଷ ଅଟେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲୋକଙ୍କ ପାଖରେ ପ୍ରଶାସନ ଓ ସରକାର କିଭଳି ସହଜ ରେ ପହଞ୍ଚିବ ସେ ଲକ୍ଷରେ 13 ଜିଲ୍ଲାକୁ 30 ଜିଲ୍ଲା କରିଥିଲେ । ଗଜପତି ଜିଲ୍ଲା ଗଠନ ବେଳେ ପାରଳାଖେମୁଣ୍ଡିରେ ସଦର ମହକୁମା କରାଗଲା । ଆର.ଉଦୟଗିରି, ମୋହନା, ନୂଆଗଡ ଓ ରାୟଗଡକୁ ନେଇ ଏକ ରାଜସ୍ବ ଉପଖଣ୍ଡ କାର୍ଯ୍ୟଳୟ ଆର.ଉଦୟଗିରି ଠାରେ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି । ଭୌଗଳିକ, ସାମାଜିକ ପ୍ରଶାସନିକ ଗମନାଗମନ ଆଦି ଦୃଷ୍ଟିରୁ ଆର.ଉଦୟଗିରି ବ୍ଳକ ଏହି ଚାରୋଟି ବ୍ଳକର କେନ୍ଦ୍ରସ୍ଥଳ । ଆର.ଉଦୟଗିରି ଠାରେ ବ୍ଳକ ଅଫିସ, ତହସିଲ କାର୍ଯ୍ୟାଳୟ, ସବଜେଲ, ଏସ୍ ଡି ପିଓ ଅଫିସ, ଜୁଡିସିଆଲ କୋର୍ଟ, ସବ ରେଜିଷ୍ଟାର ଅଫିସ ଏବଂ ସମସ୍ତ ଉପଖଣ୍ଡ ସ୍ତରୀୟ କାର୍ଯ୍ୟ।ଳୟ ରହିଛି । ଏଣୁ ଆର.ଉଦୟଗିରିରେ ଉପଖଣ୍ଡ ଅଫିସ ସ୍ଥାପନ କରାଗଲେ ଅଞ୍ଚଳବାସୀଙ୍କ ହିତ ସାଧିତ ହେବ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here