ବାଙ୍କୀ ଜିଲ୍ଲା ପରିଷଦ ଫାଇଟ : ୪ ଟି ଜୋନ ରେ ବିଜେଡିର ଗଡ ସୁରକ୍ଷିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରି ଯାଇଛି ପଞ୍ଚାୟତ ନିର୍ବାଚନ , ଆସନ୍ତାକାଲି ଠାରୁ ଆରମ୍ଭ ହେବ ଗଣତି . ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଙ୍କୀର ତିନି ପ୍ରମୂଖ ରାଜନୈତିକ ଦଳ ସମସ୍ତ ଜୋନ ରେ ସେମାନଙ୍କର ପ୍ରାର୍ଥୀ ଦେଇଥିଲେ . ତେବେ ଜୋନ ନମ୍ବର ୩୨ ଏବଂ ୩୪ କୁ ଛାଡି ଅନ୍ୟ ସମସ୍ତ ଜୋନ ରେ ଫିଲ ଗୁଡ଼ ସ୍ଥିତିରେ ନିର୍ବାଚନ ଲଢ଼ିଛି ଶାସକ ଦଳ . ବାଙ୍କୀ ସଦର ୩୭ ନମ୍ବର ଜୋନ , ବ୍ରହ୍ମପୁରା ୩୫ ନମ୍ବର ଜୋନ , ସରଣ୍ଡା ୩୬ ନମ୍ବର ଜୋନ ଏବଂ ଡମପଡା ୩୮ ନମ୍ବର ଜୋନ ରେ ବିଜେଡି ପ୍ରାର୍ଥୀ ସହଜ ବିଜୟ ପାଇବେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ . ବାରଙ୍ଗ ୩୨ ନମ୍ବର ଜୋନ ରେ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଶାସକ ଦଳ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଛନ୍ତି , ସେହିପରି କଳାପଥର ୩୪ ନମ୍ବର ଜୋନ ରେ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳୀ ସ୍ୱାଇଁ ଜୋରଦାର ପ୍ରଚାର କରି ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି . କିନ୍ତୁ ଅନ୍ୟ ସମସ୍ତ ଜୋନ ରେ ବିରୋଧୀ ଦଳ ପ୍ରାର୍ଥୀ ପ୍ରଚାର ସମୟରେ ହିଁ ହାତ ଟେକି ଦେଇଥିଲେ . ବିଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନେ ବାଙ୍କୀର ସମସ୍ତ ଜିଲ୍ଲା ପରିଷଦ ଜୋନ ରେ ସମ୍ମାନଜନକ ଭୋଟ ପାଇଥିଲେ . କିନ୍ତୁ ଚଳିତ ନିର୍ବାଚନରେ ବାରଙ୍ଗ ଜୋନ କୁ ଛାଡି ଅନ୍ୟ ସମସ୍ତ ଜୋନ ରେ ବିଜେପି ସଂଗଠନ ମାଟି କାମୁଡି ଥିବାର ଦେଖାଯାଇଥିଲା . ଅବଶ୍ୟ ଡମପଡା ଜୋନ ର ପ୍ରାର୍ଥୀ ଅନନ୍ତ ମିଶ୍ରଙ୍କ ପ୍ରଚାର ସାମାନ୍ୟ ପ୍ରଭାବୀ ହୋଇଥିଲା . ବାଙ୍କୀ ରେ ଶାସକ ଦଳ କ୍ଲିନ ସୁଇପ କରିବ ବୋଲି ନିର୍ବାଚନ ପୂର୍ବରୁ ପ୍ରକାଶ କରିଥିଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ . ଅବଶ୍ୟ ନିର୍ବାଚନ ପରେ କଳାପଥର ୩୪ ଏବଂ ବ୍ରହ୍ମପୁରା ୩୫ ନମ୍ବର ଜୋନ ରେ କଂଗ୍ରେସ ପ୍ରାର୍ଥୀ ଜିତିବେ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ . ତେବେ ବାଙ୍କୀ ରେ ବିଜେଡିର ମଜବୁତ ତୃଣମୂଳ ସ୍ତରୀୟ ଦଳୀୟ ସଂଗଠନ ଏବଂ ପ୍ରଭାତ ତ୍ରିପାଠୀ ଙ୍କ ଗୋଟି ଚାଳନା ସର୍ବୋପରି ବ୍ରାଣ୍ଡ ନବୀନ ହିଁ ଦଳୀୟ ପ୍ରାର୍ଥୀଙ୍କ ଜିତିବା ରାସ୍ତା ପରିସ୍କାର କରିଛି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି .

Leave a Reply

Your email address will not be published. Required fields are marked *