ଦୋଳଯାତ୍ରା ର ଭରପୁର ମଜା ନେଲେ ଡମପଡା ବ୍କକ ଜନସାଧାରଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କୋଭିଡ କଟକଣାରେ ଦୁଇବର୍ଷ ହେବ ଡମପଡା ବ୍କକ ର ସବୁ ଗାଁ ଯାତ୍ରା କମିଟିର ଯାତ୍ରା ପରିବେଷଣ ବନ୍ଦ ରହିଥିଲା । ରାଜ୍ୟ ସରକାର ପବିତ୍ର ଜାଗର ପର୍ବ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କୁ ଅନୁମତି ଦେଇଥିବାରୁ ପ୍ରତି ଗାଁ ଗଣ୍ତା ର ରାତି ଏବେ ଦିନ ପରି । ଘରେ ଘରେ କୁଣିଆଙ୍କର ଆତିଥ୍ୟ । ପଞ୍ଚଦୋଳ ,ଦଶଦୋଳ ଓ ବାରୁଣୀରେ ବାଆଁରା, ଉପର ପାଥପୁର, ତଳ ପାଥପୁର, ଶିମିଳିପୁର, ଡମପଡା, କୁସୁନ୍ଦା , ଘୋଡାବର, ଅରପୁର, କଇଁମୁଣ୍ତି, ସୁବର୍ଣ୍ଣପୁର , ବିଲିପଡା ଗ୍ରାମ ମାନଙ୍କରେ ଓଡିଶାର ବଡ ବଡ ଯାତ୍ରାପାର୍ଟି ତୁଳସୀ, ପାର୍ବତୀ, ବିଶ୍ୱ ଦରବାର, ଯାତ୍ରା ଦରବାର ,ସ୍ୱର୍ଣ୍ଣ ମନ୍ଦିର , ସ୍ୱପ୍ନ ମହଲ ନିଜର ଯାତ୍ରା ପରିବେଷଣ କରିସାରିଛନ୍ତି । ରାମନାଟକ ମଧ୍ୟ କିଛି ସ୍ଥାନରେ ହେଉଛି । କିଛି ଗାଁ କ୍କବ ପିଲାଙ୍କର ଡ୍ରାମା ର ରିହଲସଲ ଚାଲିଛି । ଆଗକୁ ଆହୁରି କିଛି ଦଳ ଆସି ଯାତ୍ରା କରିବାର ପୋଷ୍ଟର କାନ୍ଥବାଡ ରେ ମରାଯାଇଛି । ଓଡିଆ ପରମ୍ପରାର ଯାତ୍ରା ରଙ୍ଗମଞ୍ଚ ଏକ ସର୍ବ ପୁରାତନ କିର୍ତ୍ତୀରାଜୀ ଅଟେ । ଦୋଳ ସମୟରେ ଫ୍ରିସେଲ୍ ଯାତ୍ରା ହେଉଥିବାରୁ ପ୍ରତିଟି ଯାତ୍ରା ସ୍ଥାନରେ ସାତରୁ ଆଠ ହଜାର ଦର୍ଶକଙ୍କ ଯୋଗଦାନ ରହୁଛି । କାଁ ଭାଁ କୋଉଠି ଅଳ୍ପ ଗଣ୍ତଗୋଳ ହେଉଥିଲେବି , ଶାନ୍ତିଶୃଂଖଳାର ସହ ରାତି ରାତି ଯାତ୍ରା ପରିବେଷଣ ହେଉଛି । ସଂଧ୍ୟାହେଲେ ମୀନାବଜାର ବେପାର ଜମେ । ଆଧୁନିକତାର ସୀମା ଡେଇଁ ଝିଅବୋହୁ ଘରୁ ପାଦ କାଢନ୍ତି । ହାତରେ ଚିତା କୁଟାନ୍ତି । ଫାଷ୍ଟଫୁଡ୍ , ଗୁପୁଚୁପ୍ , ଚାଟ୍ ପାଇଁ ବାପା ଅଜାଙ୍କ ପାଖରେ ପୁଅ ଝିଅ ଙ୍କର ଟଙ୍କା ନେବାର ଅଳି ଦୃଶ୍ୟ ସତରେ ନିଆରା ନିଆରା । ଯୁବପିଢିଙ୍କ ୟୁ-ଟିୟୁବ୍ ସର୍ଚ୍ଚ କରି କୋଉଠି ଯାତ୍ରା ପଡିଛି ଖୋଜିବାର ନିଆରା ଅନ୍ଦାଜ ଯାତ୍ରା କମିଟି ଓ କଳାକାର ମାନଙ୍କୁ ଉତ୍ସାହିତ କରିଛି ଆଜିକା ଡିଜିଟାଲ ସମୟରେ । ଓଡିଶାର ବାରମାସରେ ତେର ପର୍ବର ଯାନି ଯାତ୍ରାର ପରମ୍ପରା ରେ ଗାଁ ‘ ର ରଙ୍ଗମଞ୍ଚ ପରିବେଷଣ ବଞ୍ଚି ରହିବ , ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।