ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ଦୋଳ ପର୍ବ ପରେ ବସନ୍ତ ଉତ୍ସବ ଅଶୋକାଷ୍ଟମୀରେ ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ପାଦ ଦେଶରେ ପୂଜୀତ। ମା’ ନାରାୟଣୀଙ୍କୁ ଶାରଦୀୟ ପାର୍ବଣ ନିମନ୍ତେ ଆବାହନ ଯାତ୍ରା ଅଶୋକା ଯାତ୍ରା ଭାବରେ କାହିଁ କେଉଁ କାଳରୁ ପାରମ୍ପରିକ କ୍ରମେ ପାଳିତ ହୋଇ ଆସୁଛି । ଇତିହାସ ପୃଷ୍ଠା, ଲୋକକଥା, କିମ୍ବଦନ୍ତୀରୁ ଜଣାପଡ଼େ କି, ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଯେପରି ବାରମାସରେ ତେର ଯାତ୍ରା ପାଳିତ ହୁଏ । ଶକ୍ତି କ୍ଷେତ୍ର ବାଣପୁରରେ ମଧ୍ୟ ଋତୁ ଅନୁସାରେ ମା’ଙ୍କ ବିଭିନ୍ନ ଜାନିଯାତ୍ରା, ପର୍ବପର୍ବାଣୀ ପାଳିତ ହୋଇଆସୁଥିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ଏଠାରେ ବସନ୍ତ ଋତୁରେ ମା’ଙ୍କର ଏହି ଅଶୋକା ପର୍ବ ଅଶୋକାଷ୍ଟମୀ ଦିନ ମହା ଆଡ଼ମ୍ବରରେ ପାଳିତ ହୁଏ । ପ୍ରାଚୀନ କାଳରୁ ଖୋର୍ଦ୍ଧା ଗଜପତି ଶାସନାଧିନ ଏହି ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ଭଗବତୀ ଦକ୍ଷିଣ ଦିଗ ରକ୍ଷାକାରିଣୀ ଖଲିକୋଟ ଗଡ଼ଜାତର ଆରାଧ୍ୟା ଦେବୀ ମା’ ନାରାୟଣୀଙ୍କ ପୀଠକୁ ଅଶୋକାଷ୍ଟମୀ ଦିନ ଯାତ୍ରା କରି ସେଠାରେ ପୂଜା ପାଉଥିଲେ । ପରମ୍ପରା ଅନୁସାରେ ଦେବୀମାନଙ୍କୁ ଅଶୋକା ଫୁଲ ଲାଗି କରାଯାଇ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇଁ କେବଳ ପଇଡ଼ ନୈବେଦ୍ୟ ଆକାରରେ ଅର୍ପଣ କରାଯାଇ ରାତ୍ରି କାଳରେ କାକରା ଭୋଗ ଲାଗି ପରେ ମା’ ଭଗବତୀଙ୍କୁ ବିଦାୟ ଦିଆଯାଉଥିଲା । ଏହି ଦିନ ମା’ଭଗବତୀ ମା’ନାରାୟଣୀଙ୍କୁ ଶାରଦୀୟ ପର୍ବକୁ ଆମନ୍ତ୍ରଣ କରୁଥିଲେ ।

କାଳକ୍ରମେ ଖୋର୍ଦ୍ଧା ଗଡ଼ଜାତରୁ ଖଲିକୋଟ ଗଡ଼ଜାତ ଅଲଗା ହୋଇଯିବା ପରେ ପ୍ରତିକୂଳ ପରିସ୍ଥିତିରେ ଏହି ଯାତ୍ରା ବନ୍ଦ ହୋଇ କେବଳ ବିଧି ପରମ୍ପରା ରକ୍ଷା ପୂର୍ବକ ବାଣପୁରର ଦକ୍ଷିଣ ଦିଗରେ ଶାଳିଆ ନଦୀ କୁଳରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଗତିଶ୍ଵର ମହାଦେବଙ୍କ ପୀଠରେ ନୀତିକାନ୍ତିରେ ଅନୁଷ୍ଠିତ ମାଳିଗୋବିନ୍ଦ ପୁର ଠାରେ ହୋଇଆସୁଛି । ଚୈତ୍ର ଶୁକ୍ଳ ଅଷ୍ଟମୀ ଦିନ ପ୍ରତ୍ୟୁଷରୁ ମା’ ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବଲ୍ଲଭ,ମଙ୍ଗଳ ଆଳତୀ ପରେ ବେଶ କରାଯାଏ । ମାଳି ଗୋବିନ୍ଦପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ପରେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବ, ଗୋପୀନାଥ ଦେବ ଓ ଶ୍ରୀରଙ୍କନାଥ ଦେବ ମିଳିତ ଭାବରେ ମା’ କାଠି ଠାକୁରାଣୀଙ୍କ ସହିତ ଯାତ୍ରା ପଡ଼ିଆକୁ ବିଜେ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ବାଜା, ଘଣ୍ଟ, କାହାଳୀ, ହରିବୋଲ ହୁଳହୁଳି ଧ୍ୱନୀରେ ସ୍ଵାଗତ କରାଯାଇ ଗ୍ରାମ ପରିକ୍ରମା ପରେ ଆଲଟ, ଛତ୍ର, ତରାସ ସହିତ ମା’ଙ୍କୁ ଗତିଶ୍ଵର ଦେବଙ୍କ ମନ୍ଦିର ବେଢାରେ ବିଜେ କରାଯାଇଥିଲା ।

ପ୍ରଥମ ଧୂପରେ ପଣସପତ୍ର ଠୁଙ୍ଗାରେ ଅଶୋକ ଫୁଲ ଓ ପଇଡ଼ ନୈବେଦ୍ୟ ଅର୍ପଣ ପରେ ଆଳତୀ ପରେ ଦ୍ଵିତୀୟ ଧୂପ ବଢିଥିଲା । ମା’ ଙ୍କ ଏହି ଅଶୋକ ଫୁଲ ଲାଗି ପାଇବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ରାତିରେ ମା’ ଙ୍କ ପାଖରେ କାକରା ଭୋଗ ଲାଗି ପରେ ମା’ ବଡ଼ିଭୋରରୁ ମନ୍ଦିରକୁ ପ୍ରତ୍ୟାଗମନ କରିବେ । ଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦିନ ତମାମ ଲାଗି ରହିଥିବା ବେଳେ ବିଭିନ୍ନ ପ୍ରକାର ପସରା ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଛି । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଜମାଇଥିବାର ଦେଖାଯାଇଥିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି ।

