ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ପୌରପାଳିକା ର ନବ ନିର୍ବାଚିତା ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ବୋମାମାଡ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ବିଳମ୍ବିତ ରାତିରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି । ସିସିଟିଭ୍ ଫୁଟେଜ୍ ରୁ ମିଳିଥିବା ତଥ୍ୟ ଆଧାରରେ ଜଣାପଡ଼ିଛି ଯେ, ଦୁର୍ବୃତ୍ତ ମାନେ ଜୟନ୍ତୀ ପାତ୍ରଙ୍କ ଘରର ଫାଟକକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିଲେ । ଏହି ବୋମାମାଡ଼ରେ ଘରର ପାଚେରି କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ତେବେ ବୋମାମାଡ ସମୟରେ ଘରେ ସମସ୍ତେ ଶୋଇଥିଲେ ବୋଲି ଜୟନ୍ତୀ ପାତ୍ର କହିଛନ୍ତି । ବିସ୍ଫୋରଣ ଶବ୍ଦ ଶୁଣି ସମସ୍ତେ ଉଠି ପଡ଼ିଥିଲେ । ସେତେବେଳେ ରାତି ପ୍ରାୟ ୧ .୪୦ ହୋଇଥିଲା । ସମସ୍ତେ ଘରୁ ବାହାରି ଗେଟ୍ ପାଖ ଜାଗା ଧୂଆଁମୟ ହୋଇଥିବାର ଦେଖିଥିଲେ । ସିସିଟିଭିରେ ମଧ୍ୟ ଏହି ଦୃଶ୍ୟ କଏଦ ହୋଇଛି । ଏହି ଘଟଣା ପରେ ପୌରାଧ୍ୟକ୍ଷ ତାଙ୍କ ପାଇଁ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି । ସେ କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଅଛି । ଏଣୁ ପୁଲିସ୍ ପ୍ରଶାସନ ମୋତେ ସୁରକ୍ଷା ଦେଉ । ଘର ବାହାରେ ପୁଲିସ୍ ମୁତୟନ ପାଇଁ ଦାବୀ କରିଛନ୍ତି ପୌରାଧ୍ୟକ୍ଷା । ତେବେ ପୌର ନିର୍ବାଚନରେ ଜୟନ୍ତୀ ପାତ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କ ଘର ବାହାରେ ଏହା ହେଉଛି ଦ୍ୱିତୀୟ ଅଘଟଣ । ଏହା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ କେହି ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଯେଉଁମାନେ ଘର ବାହାରେ ଫାଙ୍କା ଗୁଳି ଚାଳନା କରିବା ସହିତ ତାଙ୍କୁ ଗାଳିଗୁଲଜ କରିଥିଲେ, ସେମାନେ ମଧ୍ୟ ବୋମା ଫିଙ୍ଗିଛନ୍ତି ବୋଲି ଜୟନ୍ତୀ କହିଛନ୍ତି । ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର କୁମାର ସାମଲଙ୍କ ନିର୍ଦ୍ଦେଶରେ ପୌରାଧ୍ୟକ୍ଷଙ୍କ ଘର ବାହାରେ ଫାଙ୍କା ଗୁଳି ଚାଳନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ତେବେ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।
ଢେଙ୍କାନାଳ ପୌରାଧ୍ୟକ୍ଷ ଙ୍କ ଘର ବାହାରେ ବିଳମ୍ବିତ ରାତିରେ ବୋମାମାଡ଼ !!!

