ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅବାଧରେ ବେଆଇନ ମଦ କାରବାର ଚାଲିଥିବାର ଅଭିଯୋଗ ହେଉଛି । କିନ୍ତୁ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସେପରି ଆଖି ଦୃଷ୍ଟିଆ ଚଢ଼ାଉ କରା ଯାଉନାହିଁ । ଯେଉଁଠି ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି, ଅକାଳେ ସକାଳେ ୫ ଲିଟର, ୧୦ ଲିଟର ମଦ ଜବତ କରୁଛି ଉଭୟ ବିଭାଗ । ମଦ ଲାଗି ବହୁ ପରିବାର ଭାଙ୍ଗି ଯାଉଥିବା ବେଳେ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି । ବିଶେଷ କରି ନିର୍ବାଚନ ପରଠାରୁ ବାଣପୁରର ଗାଁ ଗାଁ ରେ ଅହେତୁକ ଭାବେ ବେଆଇନ ମଦ କାରବାର ବୃଦ୍ଧି ହୋଇଛି । ନିକଟରେ ଦୁଇ ଦୁଇ ଥର ନିଜ ଗ୍ରାମକୁ ମଦମୁକ୍ତ କରିବା ଦାବିରେ ଦୁଇ ଗୋଟି ନିର୍ଦ୍ଦିଷ୍ଟ ଗ୍ରାମର ଶତାଧିକ ମହିଳା ମାନେ ବାଣପୁର ଥାନା ଘେରାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ । ଏଥିରୁ ବାରି ହେଉଛି କେଉଁ ପରିମାଣରେ ବାଣପୁର ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ଚାଲିଛି । ଗ୍ରାମବାସୀ ମାନେ ମଦ କାରବାରକୁ ନେଇ ଅତିଷ୍ଠ ହେଉଥିବା ବେଳେ ମଦ ଧରିବା ପାଇଁ ରହିଥିବା ଅବକାରୀ ବିଭାଗ ଏସବୁରେ ବିଫଳ ହେଉଛି । ବେଆଇନ ମଦ ଏବଂ ନିଶା ଜାତୀୟ ଦ୍ରବ୍ୟ ଉପରେ ଚଢାଉ କରିବା ସହ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବକାରୀ ବିଭାଗର ମୁଖ୍ୟ କାର୍ଯ୍ୟ । କିନ୍ତୁ ଟାଙ୍ଗୀ ରେଞ୍ଜ ଅବକାରୀ ଅଞ୍ଚଳରେ ଯେପରି ଅବକାରୀ ବିଭାଗ ଏକ ରକମର ସୁପ୍ତ ଅବସ୍ଥାରେ ଅଛି । ବାଲୁଗାଁ ଅବକାରୀ ଥାନା ଦାୟିତ୍ୱ ଜଣେ ଏଏସଆଇଙ୍କ ହାତରେ ନ୍ୟସ୍ତ ଥିବା ବେଳେ ତାଙ୍କ କ୍ଷମତା ସୀମିତ । ଏନଡ଼ିପିଏସ କେଶ ରୁଜୁ କରିବା ତାଙ୍କ କ୍ଷମତା ବାହାରେ । ତେଣୁ ଅକାଳେ ସକାଳେ ସ୍ୱଳ୍ପ ଲିଟର ମଦ ଧରିବା ଧର୍ମକୁ ଆଖିଠାର ସଦୃଶ । ପୁର୍ବରୁ ବାଲୁଗାଁ ଅବକାରୀ ଥାନାରେ ଜଣେ ଦକ୍ଷ ଏସଆଇ ନିୟୋଜିତ ଥିଲେ, ଯିଏକି ମଦ କାରବାରକୁ ବହୁ ପରିମାଣରେ ରୋକ ଲଗାଇବାରେ ସଫଳ ଥିଲେ । ଏପରିକି ଉକ୍ତ ଅଧିକାରୀ ବାଲୁଗାଁରୁ ବ୍ରାଉନ ସୁଗାର ଓ ଗଞ୍ଜେଇ ମଧ୍ୟ ଠାବ କରିଥିଲେ । ତେଣୁ ବାଲୁଗାଁ ଅବକାରୀ ଥାନାରେ ଜଣେ ସ୍ଥାୟୀ ଓ ଦକ୍ଷ ଅଧିକାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ଭାବେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ମଧ୍ୟ ବାଲୁଗାଁ-ବାଣପୁରରେ କେତେବେଳେ ବି ରେଡ଼ କରିବାର ଦେଖା ଯାଉନାହିଁ । କହିବାକୁ ଗଲେ ବାଣପୁର ବାଲୁଗାଁ ଅଞ୍ଚଳରେ ଅବକାରୀ ବିଭାଗ ଏକ ରକମର କୋମାରେ ଅଛି । ଅନୁରୂପ ଭାବେ ପୋଲିସ ପ୍ରଶାସନ ମଧ୍ୟ ଉକ୍ତ ସମସ୍ୟାକୁ ଗୁରୁତର ସହ ନେବା କଥା । ପୁର୍ବରୁ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିଲା । କିନ୍ତୁ ନୂତନ ଏସପି ଯୋଗଦେବା ପରଠାରୁ ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି । ପାଟ୍ରୋଲିଂ ଗାଡ଼ି ଆସିଛି । ଏପିଆର ଫୋର୍ସ ଆସିଛନ୍ତି । ୧୧୨ ଗାଡ଼ି ମହଜୁଦ ଅଛି । ଏତେ ସବୁ ସାଧନ ଥାଇ ମଧ୍ୟ ଯଦି ବେଆଇନ ମଦ ବିକ୍ରି ରୋକାଯାଇ ପାରୁନି, ତେବେ ଏହା ନିଶ୍ଚିତ ଦୁଃଖର ବିଷୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧୀନରେ ଥିବା ଅବକାରୀ ବିଭାଗ ଏବଂ ଖୋର୍ଦ୍ଧା ଏସପିଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।