ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ । ମଣିଷ ଶୁଦ୍ଧ ଏବଂ ସ୍ବଚ୍ଛ ଜଳ ପାଇବା ପାଇଁ ସରକାର କରିଛନ୍ତି ବିଭିନ୍ନ ଯୋଜନା । କିନ୍ତୁ ଏହାର ସୁବିଧା ପାଇପାରୁ ନାହାନ୍ତି ସାଧାରଣ ଜନତା । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ ପରେ ଅଭିଯୋଗ କରିଥିଲେ ମଧ୍ୟ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି । ପାଣି ଟିକିଏ ଆଣିବା ପାଇଁ ଦିର୍ଘ ଏକ କିଲୋମିଟର ଚାଲିଚାଲି ବିଲ ଗାଡ଼ିଆ ଭିତରୁ ଯିବାକୁ ପଡ଼େ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗାତେରି ପଞ୍ଚାୟତ ଡାକଡୋଲ ନୂଆସାହି ଗ୍ରାମରେ । ଗ୍ରାମବାସୀ ମାନେ ଗାଧୋଇବା ଏବଂ ପିଇବା ପାଇଁ ପାଣି ଟୋପାଏ ପାଇପାରୁ ନଥିବାରୁ ପଞ୍ଚାୟତ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଗୁରୁତ୍ୱ ନଦେବାରୁ ଏହା ଉଗ୍ରରୂପ ନେଇଥିଲା । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ରାଜରାସ୍ତାକୁ ଆସିବା ସହ ଗରା, ବାଲ୍ଟି ଆଦି ରଖି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବିଡ଼ିଓ କିମ୍ବା ତହସିଲଦାର ଗୁରୁତ୍ବ ଦେଇନଥିଲେ । ନୂତନ ସରପଞ୍ଚ ଙ୍କ କହିବା ଅନୁଯାୟୀ ଏସମ୍ପର୍କରେ ତାଙ୍କ ପାଖରେ କୈାଣସି ଅଭିଯୋଗ ନାହିଁ , ଜାଣିଥିଲେ ଏହା ପୂର୍ବରୁ ନିଶ୍ଚିତ ସମାଧାନ ହୋଇଥାନ୍ତା । ବର୍ତ୍ତମାନ ପାଣି ସମସ୍ୟା ର ସମାଧାନ କରାଯିବ । ଠିକାଦାରଙ୍କ ମନଇଛା କାର୍ଯ୍ୟ ଲାଗି ଗ୍ରାମରେ ପାଇପ୍ ଲାଇନ ବିଛା ଯାଇଥିବା ବେଳେ ଗ୍ରାମ କୁ ପାଣି ଆସି ପାରି ନଥିବା ଉପସ୍ଥିତ ଲୋକମାନେ ପ୍ରକାଶ କରିଥିଲେ । ଦିର୍ଘ ଦୁଇ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ରୋକ ପରେ ବିଡ଼ିଓ ପହଞ୍ଚି ଗ୍ରାମ କୁ ଅତି ଶୀଘ୍ର ପାଣି ଯୋଗାଇ ଦିଆଯିବା ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ମାନେ ରାସ୍ତାରୁ ଗରା ,ବାଲ୍ଟି ଉଠାଇ ଥିଲେ ।

