ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୃତ୍ୟୁ ପରେ ମଧ୍ୟ ଅନ୍ୟର ଜୀବନରେ ଆଲୋକ ଭରିଦେଇ ଅମର ହୋଇଗଲେ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ପାରିଓରଡ଼ ଗ୍ରାମର ସହଦେବ ସାହୁ। ଜଣେ ସାଧାରଣ ଗୁପୁଚୁପ୍ ବ୍ୟବସାୟୀ ଭାବେ ଜୀବନ ଅତିବାହିତ କରୁଥିବା ସହଦେବଙ୍କ ଅଙ୍ଗଦାନ ନିଷ୍ପତ୍ତି ଆଜି ତାଙ୍କୁ ସମସ୍ତଙ୍କ ନିକଟରେ ସ୍ମରଣୀୟ କରିଦେଇଛି। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ସହଦେବ ସାହୁଙ୍କ ଦେହ ଅସୁସ୍ଥ ରହିଥିଲା। ଶାରୀରିକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଥ୍ ଘୋଷଣା କରିଥିଲେ। ଶେଷରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା।ଏଭଳି ଦୁଃଖଦ ସମୟରେ ମଧ୍ୟ ତାଙ୍କ ପରିବାରବର୍ଗ ଏକ ମହତ୍ ନିଷ୍ପତ୍ତି ନେଇ ସହଦେବଙ୍କ କିଡନୀ ଓ ଲିଭର ଦାନ କରିବାକୁ ଆଗେଇ ଆସିଥିଲେ। ତାଙ୍କର ଏହି ମହତ୍ ଅଙ୍ଗଦାନ ଅନ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହୋଇଛି । ଆଜି ତାଙ୍କ ମରଶରୀରକୁ ନିଜ ଗ୍ରାମକୁ ଅଣାଯିବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ, ଆତ୍ମୀୟସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସହଦେବଙ୍କ ଅକାଳ ବିୟୋଗରେ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ମଧ୍ୟ ଅନ୍ୟକୁ ନୂଆ ଜୀବନ ଦେବାର ମହତ୍ ଚିନ୍ତାଧାରା ରଖିଥିବା ସହଦେବ ସାହୁଙ୍କ କିଡନୀ ଓ ଲିଭର ଦାନ ସମାଜ ପାଇଁ ଏକ ବଡ଼ ପ୍ରେରଣା। ତାଙ୍କର ଏହି ମହତ୍ କାର୍ଯ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।।
ଅଙ୍ଗଦାନ କରି ଅମର ହେଲେ ଗୁପୁଚୁପ୍ ବ୍ୟବସାୟୀ ସହଦେବ ସାହୁ : ଗ୍ରାମରେ ଶୋକାକୁଳ ପରିବେଶ !!!

