ବାଣପୁର ଘଣ୍ଟଶିଳା ପାହାଡ ପଥରରେ ଶୁଣା ଯାଉଛି ଘଣ୍ଟ ଶବ୍ଦ : ଜାଣନ୍ତୁ ଏହାର କିମ୍ବଦନ୍ତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଘଣ୍ଟଶିଳା ପାହାଡରେ ‘ଘଣ୍ଟ ଶବ୍ଦ ‘ ଶୁଣା ଯାଉଛି । ବାଣପୁର ଏକ ପୌରାଣିକ ସହର , ଏଠାରେ ଅଛି ମାଆ ଭଗବତୀଙ୍କ ଭବ୍ୟ ମନ୍ଦିର । ମାଙ୍କ ମନ୍ଦିର ନିକଟରେ ବହି ଯାଉଛି ଚିରସ୍ରୋତା ଶାଳିଆ ନଦୀ । ମନ୍ଦିର ର ଅନତି ଦୂରରେ ରହିଛି ଘଣ୍ଟଶିଳା ପର୍ବତ । କିମ୍ବଦନ୍ତୀ ଅନୁଯାୟୀ ପୁରାଣ ଯୁଗରେ ବାଣାସୁର ଏଠାରେ ରାଜୁତି କରୁଥିଲା । ତାଙ୍କରି ନାମ ଅନୁଯାୟୀ ଏହି ସ୍ଥାନର ନାମ ବାଣପୁର ବୋଲି ବାଣପୁର ଇତିହାସ କହେ । ବାଣପୁର ସହରର ଉତ୍ତର ଦିଗରେ ସୋଲୋରି ପାହାଡ ଏବଂ ଦକ୍ଷିଣ ଦିଗରେ ଭାଲେରି ପାହାଡ । ଦୁଇ ପାହାଡ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ଘଣ୍ଟଶିଳା ପାହାଡ । ବାଣାସୁରଙ୍କ ଆରାଧ୍ୟା ଦେବୀ ମା” ଭଗବତୀ ଥିବା ବେଳେ ବାଣାସୁର ସୋଲୋରି ଓ ଭାଲେରି ପାହାଡ ଶିଖର ରେ ତାଙ୍କର ଦୁଇ ପାଦ ରଖି ଘଣ୍ଟଶିଳା ପାହାଡରେ ଘଣ୍ଟି ବଜାଇ ମାଙ୍କ ପୂଜାର୍ଚ୍ଚନା କରୁଥିଲା ବୋଲି ବିଶ୍ୱାସ ରହିଛି । ସେହି କାରଣରୁ ଏହି ପାହାଡକୁ ଘଣ୍ଟଶିଳା ବୋଲି କୁହାଯାଏ । ପାହାଡ ତଳେ ସୋମନାଥ ଦେବଙ୍କ ଭଗ୍ନ ମନ୍ଦିର ସମେତ ମା” ଘଣ୍ଟନିଧି , ମହାବୀର ଓ ରଘୁନାଥ ଦେବଙ୍କ ମନ୍ଦିର ରହିଛି । ବାଣପୁରର ଜଗନ୍ନାଥପୁର ଓ ଗାଲୁଆ ଗ୍ରାମର କିଛି ଯୁବକ ବଣଭୋଜି ପାଇଁ ପାହାଡ ଉପରକୁ ଯାଇଥିଲେ । ପାହାଡ ଉପରେ ଥିବା ବଡ ବଡ ପଥର ଖଣ୍ଡରେ ଯୁବକ ମାନେ ସୋମନାଥ ଙ୍କ ନାମ ଲେଖିଥିବା ବେଳେ ଜଣେ ଯୁବକ ଉକ୍ତ ସ୍ଥାନ ଉପରକୁ ଏକ ପଥର ଫିଙ୍ଗିଦେଇଥିଲା । ସେହି ପଥର ଟି ଏକ ଚଟାଣ ଉପରେ ପଢ଼ିବା ପରେ ଘଣ୍ଟଭଳି ଶବ୍ଦ ବାହାରି ଥିଲା । ପୁଣି ଆଉ ଏକ ପଥର ଫିଙ୍ଗିବାରୁ ପୁଣି ଘଣ୍ଟଭଳି ଶବ୍ଦ ବାହାରି ଥିଲା । ଏହି କଥା ବାଣପୁର ଅଞ୍ଚଳରେ ପ୍ରଚାର ହେବା ପରେ ସେଠାରେ ଶହ ଶହ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ବାଣାସୁର ଶିଳା ଖଣ୍ଡକୁ ପିଟି ଘଣ୍ଟି ଶବ୍ଦ କରି ମା”ଙ୍କୁ ପୂଜାର୍ଚ୍ଚନା କରିଥିଲା ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *