ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ମହାସମାରୋହରେ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ମହାସମାରୋହରେ ପାଳନ କରାଯାଇଥିଲା। ମାନ୍ୟବର ଅଜନ୍ତା ଷଡ଼ଙ୍ଗୀ, ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍, ନୟାଗଡ଼ଙ୍କ ସଦୟ ଅନୁମତିକ୍ରମେ ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡଙ୍କ ଦକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।ଏହି ଅବସରରେ ବିଚାର ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଓ ଆଇନଜୀବୀମାନେ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ପ୍ରଶିକ୍ଷାର୍ଥୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପାରା ଲିଗାଲ୍ ସ୍ୱେଚ୍ଛାସେବୀ , ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ, ସାଧାରଣ ଜନତା ଏବଂ ସେବା ଅନୁଷ୍ଠାନର ଅନ୍ତେବାସୀମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଆଇନ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନାଲ୍‌ସା ସଙ୍ଗୀତ ପରିବେଷଣ ସହିତ ଆଇନ ସେବା ସହାୟକମାନେ ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଷିତ କ୍ଷୁଦ୍ର ନାଟକ “ଏସିଡ୍ ଆକ୍ରମଣ ନୁହେଁ ଜୀବନର ଶେଷ, ବରଂ ଏକ ନୂତନ ଆରମ୍ଭ” କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ନାଟକ ମାଧ୍ୟମରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ଅଧିକାର, ନ୍ୟାୟ ପ୍ରାପ୍ତି, ଆଇନଗତ ସହାୟତା ଓ ସାମାଜିକ ପୁନର୍ବାସନର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ଏହି ସମସ୍ତ ପରିବେଷଣ ଜନସାଧାରଣଙ୍କୁ ଆଇନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ଅଧିକାର ବିଷୟରେ ସଚେତନ କରିବାରେ ବେଶ୍ ଶିକ୍ଷଣୀୟ ଓ ଫଳପ୍ରଦ ହୋଇଥିଲା।

ଏହାପରେ ମାନ୍ୟବର ଅଧ୍ୟକ୍ଷା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଜିଲ୍ଲା ଅଦାଲତ ପରିସରରୁ ବାହାରି ନୟାଗଡ଼ ଟ୍ରାଫିକ୍ ଛକ ଦେଇ ଏନ୍.ଏ.ସି. ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଆଇନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରି ସାଧାରଣ ଜନତାଙ୍କୁ ଆଇନ ସେବା ଓ ମାଗଣା ଆଇନଗତ ସହାୟତା ସମ୍ପର୍କରେ ସଚେତନ କରିଥିଲେ।

ଏହି ଅବସରରେ ୧୯୮୭ ମସିହାରେ ପ୍ରଣୀତ ଆଇନ ସେବା ପ୍ରାଧିକରଣ ଅଧିନିୟମ (ଆକ୍ଟ, ୧୯୮୭) ୧୯୯୫ ମସିହା ନଭେମ୍ବର ୯ ତାରିଖରେ କାର୍ଯ୍ୟକାରୀ ହୋଇଥିବାରୁ ଏହି ଦିବସର ଐତିହାସିକ ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାଜର ଦୁର୍ବଳ, ଅବହେଳିତ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ, ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଏବଂ ନ୍ୟାୟ ପ୍ରାପ୍ତିରେ ସମାନ ସୁଯୋଗ ସୃଷ୍ଟି କରିବା ଏହି ଅଧିନିୟମର ମୂଳ ଉଦ୍ଦେଶ୍ୟ ବୋଲି ଆଲୋକପାତ କରାଯାଇଥିଲା।ଏଥିସହିତ ଜାତୀୟ ଆଇନ ସେବା ପ୍ରାଧିକରଣ , ରାଜ୍ୟ ଆଇନ ସେବା ପ୍ରାଧିକରଣ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ତାଲୁକ ଆଇନ ସେବା କମିଟି ଏବଂ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଆଇନ ସେବା କମିଟିଗୁଡ଼ିକର ଗଠନ, କାର୍ଯ୍ୟଧାରା ଓ ଜନସାଧାରଣଙ୍କୁ ମିଳୁଥିବା ଆଇନଗତ ସହାୟତା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଇନ ସେବା କେବଳ ଏକ ସାମ୍ବିଧାନିକ ଅଧିକାର ନୁହେଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ବାର୍ତ୍ତା ପ୍ରସାର କରାଯାଇଥିଲା।

Leave a Reply

Your email address will not be published. Required fields are marked *