ଭଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା’ ଭଗବତୀଙ୍କ ପୀଠରେ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ଚଳିତ ମହାକାର୍ତ୍ତିକ ରାସ ପୂର୍ଣ୍ଣିମା ତିଥି ମଙ୍ଗଳବାର ଦିନ ଅପରାହ୍ନରେ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ପରି ମା’ ଭଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ । ମନ୍ଦିର ପ୍ରଶାସନ, ମନ୍ଦିର ଖଡ଼ିରତ୍ନ, ପରିଛା ସାମନ୍ତ, ଛତିଶା ନିଯୋଗ ଙ୍କ ମିଳିତ ବୈଠକର ନିଷ୍ପତି କ୍ରମେ ସୋମବାର ସଂଧ୍ୟାରୁ ରାତ୍ର ୧୦ ଟା ୩୦ରେ ମା’ ଙ୍କ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିବ । ସେହି ଦିନ ରାତ୍ର ୧୨ ଘଟିକା ପରେ ମା’ ଙ୍କ ମଙ୍ଗଳବାର ନୀତିକାନ୍ତି ଆରମ୍ଭ ହୋଇ ଦ୍ଵାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେ ଖେଚଡ଼ି ଡାଲି ଧୂପ ବଢି ଶଙ୍କୁଡ଼ି ପୂଜା ହୋଇ ମଙ୍ଗଳବାର ଭୋର ୫ ଟାରୁ ମାଠ ପୁଳି ଧୂପ ଶେଷ ପରେ ଦେବନୀତି ବନ୍ଦ ରହିବ । ମଙ୍ଗଳବାର ଦିନ ଗ୍ରହଣ ଲାଗୁଥିବାରୁ ଦିନ ସାରା ମନ୍ଦିର ଖୋଲା ରହିବ ଏବଂ ସର୍ବ ସାଧାରଣ ମଣ୍ଡପ ଉପରେ ରହି ଦୂରରୁ କେବଳ ମା’ ଙ୍କୁ ଦର୍ଶନ କରିବେ । ଗ୍ରହଣସ୍ପର୍ଶ ଅପରାହ୍ନ ୨ ଟା ୩୯ମିରୁ ଆରମ୍ଭ ହେଉଥିବାରୁ ଗ୍ରହଣ ମଧ୍ୟ ସମୟ ୪ଟା ୨୯ମିରେ ଗ୍ରହଣ ଭୋଗ ହୋଇ ପୋତା ହେବ । ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୨୯ମି ପରେ ପୁଣି ମଙ୍ଗଳବାର ରାତ୍ର ନୀତିକାନ୍ତି ଆରମ୍ଭ ହେବ। ସେହି ଦିନ ମା’ କାଠି ଠାକୁରାଣି ସଂଧ୍ୟା ୮ ଘଟିକାରେ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିବେ ଏବଂ ବଡ଼ସିଂହାର ପରେ ମଙ୍ଗଳବାର ରାତ୍ର ୧୧ ଘଟିକାରେ ପିତ୍ରାଳୟକୁ ଫେରିବା ପରେ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *