ମହିଳାଙ୍କୁ ସ୍ୱାବଲମ୍ବୀ କରିବ ମକା ମଞ୍ଜି ଛଡା ଯନ୍ତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଳିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକର ବିଭିନ୍ନ ସ୍ଥାନରୁ ଆସି ଥିବା 15 ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମକା ମଞ୍ଜି ଛଡା ଯନ୍ତ୍ର ଯୋଗାଇ ଦିଆ ଯାଇଛି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ସଂପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ( ଆଇ.ଟି.ଡି.ଏ) ସହାୟତାରେ ମିଶନ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଆର.ଉଦୟଗିରି ବ୍ଳକ ସ୍ତରୀୟ ଚୟନ କମିଟି ଦ୍ଵାରା ମନୋନୀତ 15 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗୋଟିଏ ଲେଖାଏଁ ବିଦ୍ୟୁତ ଚାଳିତ ମକା ମଞ୍ଜି ଛଡା ଯନ୍ତ୍ର ମାଗଣାରେ ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆର.ଉଦୟଗିରି ବ୍ଳକର ଚାଷି ଅର୍ଥକାରୀ ଫସଲ ଭାବେ ମୁଖ୍ୟତଃ ମକା ଚାଷ କରୁଥିବା ବେଳେ ଏହି ଯନ୍ତ୍ର ବ୍ୟବହାର କରି ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ କ୍ଷେତ୍ରରେ ବେଶ ଉପଯୋଗ ହୋଇ ପାରିବ ବୋଲି ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ କହିଛନ୍ତି । ଛେଳିଗଡ଼ ସରପଞ୍ଚ ସନ୍ତୋଷ ପାଇକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଙ୍କ ପ୍ରତିନିଧି ଜଗବନ୍ଧୁ ଦାଶ, ବ୍ଳକ ସଭାପତି ଭୀମସେନ ପାଇକ, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରାଙ୍କ ସମେତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ, ମିଶନ ଜୀବିକା ପ୍ରକଳ୍ପ ସଂଯୋଜକ ଗୌତମ ସ୍ବାଇଁ, ଓଡ଼ିଶା ଜୀବିକା ମିଶନର ବ୍ଳକ ପ୍ରକଳ୍ପ ପରିଚାଳକ ରଜନୀକାନ୍ତ ପଣ୍ଡା, ବିଭାଗୀୟ କ୍ଷେତ୍ର କର୍ମଚାରୀ ସୀମାଦ୍ରୀ ଭଗବାନ ଯୋଗଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମକା ମଞ୍ଜି ଛଡା ଯନ୍ତ୍ର ବଣ୍ଟନ କରିଥିଲେ ।ମିଶନ ଜୀବିକା ପୂର୍ବରୁ ଅଞ୍ଚଳରେ ମାଗଣାରେ ଜୈବିକ ସାର ବିହନ ଯୋଗାଇ ଥିବା ସହ ଚାଷ ପ୍ରଣାଳୀର ତାଲିମ ଦିଆଯାଇଥିଲା । ବର୍ତ୍ତମାନ ଏହି ଯନ୍ତ୍ର ମିଳିବା ଦ୍ଵାରା ମକା ମଞ୍ଜି ଛଡାଇବା ଅତି ସହଜ ହେବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *