ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ ଟି ଚୋରି ସାଇକେଲ ଉଦ୍ଧାର ! ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୩୭୦ ଦଫା ୩୦୩(୨) BNS ରେ ମାମଲା ରୁଜୁ ହୋଇଛି । ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ଗତ ପ୍ରାୟ ୩ ମାସ ମଧ୍ୟରେ ସେ ପାରଳାଖେମୁଣ୍ଡି ସହରରୁ ପ୍ରାୟ ୫୦ ଟି ସାଇକେଲ ଚୋରି କରିଥିବା ଅଭିଯୋଗ ରହିଛି ଏବଂ ସେଥିମଧ୍ୟରୁ ଅନେକ ସାଇକେଲ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ଜଣାପଡ଼ିଛି । ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ଚୋରି ସାଇକେଲ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ ଚୋରି ସାଇକେଲ ଗୁଡ଼ିକୁ ଠାବ ଓ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି । ଏହି ମାମଲାର ସଫଳ ତଦନ୍ତ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଚୋରି ସାଇକେଲ ଉଦ୍ଧାର କାର୍ଯ୍ୟରେ ପାରଳାଖେମୁଣ୍ଡି ଥାନାର ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗା, ଏ.ଏସ୍.ଆଇ. କମଳାକାନ୍ତ ସାହୁ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।

