ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୃତ୍ୟୁ ହେବାର ଦୀର୍ଘ ଛଅମାସ ପରେ ଗ୍ରାମକୁ ଫେରିଛି ଜଣେ ଓଡିଆ ଶ୍ରମିକଙ୍କ ମୃତଦେହ । ପୁରୀ ସ୍ୱର୍ଗଦ୍ୱାରରେ ପରିବାର ପକ୍ଷରୁ ଶେଷ ହୋଇଛି ଅନ୍ତିମ ସଂସ୍କାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଣପୁର ଥାନା କୁମାରାଙ୍ଗ ବୀରକେଶପୁର ଗ୍ରାମରେ । ପରିବାର ପ୍ରତିପୋଷଣ ପାଇଁ ଗ୍ରାମର ଗୋପୀନାଥ ବିଶ୍ୱାଳଙ୍କ ପୁଅ ବାବୁଲି ବିଶ୍ୱାଳ (୪୭) ଦୀର୍ଘ ଦଶ ବର୍ଷ ହେବ ଓମାନ୍ ଦେଶର ଅଲ ଅଦ୍ରକ ଟ୍ରେଡିଙ୍ଗ ଏଣ୍ଡ କଣ୍ଟ୍ରାକ୍ଟିଂ କମ୍ପାନୀରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଗତ ବର୍ଷ ନଭେମ୍ବର ୯ ତାରିଖରେ ବାବୁଲି ମୋବାଇଲ ଯୋଗେ ପରିବାର ସହ କଥା ହୋଇଥିଲେ । ବକେୟା ଦରମା ସମ୍ପର୍କରେ କମ୍ପାନୀର ମାନବ ସମ୍ବଳ ଅଧିକାରିଙ୍କ ସହ ଯୁକ୍ତିତର୍କ ହୋଇଥିବା ବିଷୟ ବାବୁଲି କହିଥିଲେ । ତେବେ ଦଶ ତାରିଖରେ ବାବୁଲି ଦଉଡି ଦେଇ ଆତ୍ମହତ୍ୟା କରିଥିବା ବିଷୟ କମ୍ପାନୀ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା । ତୁରନ୍ତ ମୃତଦେହ ନେଇ ଯିବାକୁ କମ୍ପାନୀ କର୍ତ୍ତୃପକ୍ଷ କହିବା ସହ ନଚେତ ମୃତଦେହ ପୋତି ଦେବାକୁ ଧମକ ଦେଇଥିଲେ । ତେବେ ବାବୁଲିଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇପଡିଥିଲା ପରିବାର । ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ୱାସ କରି ପାରିନଥିଲେ ବାବୁଲିଙ୍କ ପରିବାର । ଏ’ନେଇ ବାବୁଲିଙ୍କ ପତ୍ନୀ ସଂଯୁକ୍ତା ବାଣପୁର ଥାନାରେ ଅଭିଯୋଗ କରିବା ସହ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ଏବଂ ଜନନେତାଙ୍କୁ ଆକୂଳ ଅନୁରୋଧ କରିଥିଲେ । ତେବେ ଦୀର୍ଘ ମାସ ପରେ ପୁରୀ ଜୀବନ ବିମା କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ସମାଜସେବୀ ବାବୁଲି ସାହୁ ପରିବାରଠାରୁ ସୂଚନା ପାଇ ଓମାନସ୍ଥିତ ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରଣାଳୟ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ଓମାନସ୍ଥିତ ଓଡିଆ ସମାଜ କର୍ମକର୍ତ୍ତାଙ୍କ ସହ ଯୋଗସୂତ୍ର ରକ୍ଷା କରି ମୃତଦେହ ଓଡିଶା ଫେରାଇ ଆଣିବାକୁ ସକ୍ଷମ ହୋଇଛନ୍ତି । ଓମାନ ଓଡିଆ ସମାଜର କର୍ମକର୍ତ୍ତା ବଦ୍ରି ନାରାୟଣ ସୁବୁଦ୍ଧି ଏବଂ ପ୍ରଶାନ୍ତ ମହାପାତ୍ରଙ୍କ ସହଯୋଗରେ ଓମାନରେ ଏ’ନେଇ ଏକ ମକଦ୍ଦମା ରୁଜୁ ହେବା ସହ ବାବୁଲିଙ୍କ ଶବ ବ୍ୟବଚ୍ଛେଦ କରାଯାଇ ବିମାନ ସାହାଯ୍ୟରେ ଦିଲ୍ଳୀ ଏବଂ ଦିଲ୍ଳୀରୁ କୋଲକତା ପଠା ଯାଇଥିଲା । କୋଲକତାରୁ ଆମ୍ବୁଲାନ୍ସ ଯୋଗେ ପୁରୀରେ ମୃତଦେହ ପହଞ୍ଚିବା ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏକମାତ୍ର ପୁଅ କିଶାନ ମୁଖାଗ୍ନି ଦେଇଥିଲେ । ତେବେ ରୋଜଗାରିଆ ସଦସ୍ୟକୁ ହରାଇ ହତାଶ ହୋଇପଡିଛି ୬ ଜଣିଆ ପରିବାର । ବାବୁଲିଙ୍କ ସ୍ୱଳ୍ପ ରୋଜଗାରରେ କୈାଣସି ମତେ ଚଳି ଯାଉଥିବା ବେଳେ ଅସହାୟ ହୋଇ ପଡିଛନ୍ତି ବାବୁଲିଙ୍କ ବୃଦ୍ଧ ପିତାଙ୍କ ସମେତ ପତ୍ନୀ ଏବଂ ତିନି ଝିଅ ଓ ପୁଅ । ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ତଦନ୍ତ କରିବା ସହ ବକେୟା ଦରମା ଏବଂ ବୀମା ରାଶି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ପତ୍ନୀ ସଂଯୁକ୍ତା ।
ବାଣପୁରର ଓଡିଆ ଶ୍ରମିକ ଙ୍କ ଓମାନରେ ମୃତ୍ୟୁ ଘଟଣା : ମୃତ୍ୟୁର ଛଅ ମାସ ପରେ ଗ୍ରାମକୁ ଫେରିଲା ମୃତଦେହ !!!

