ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ରେ ରଥଯାତ୍ରା ଅନୁଷ୍ଠିତ ! ପ୍ରଥମେ ବଳଦେବ ଜୀଉଙ୍କ ତାଳଧ୍ଵଜ ରଥକୁ ଭକ୍ତମାନେ ଟାଣି ନେଇଥିଲେ । ଆଜି ସକାଳ ୯.୦୦ ରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା । ଦିନ ୧୦.୩୦ ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ୨ ଟା ବେଳେ ରାଜା ରାମେଶ୍ଵର ପ୍ରସାଦ ସିଂ ମାନ୍ଧାତା ୩ ରଥର ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ନିତି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ଚାଲୁ ରହିଥିଲା ! ପ୍ରଥମ ଦିନରେ ବଳଦେବ ଜୀଉଙ୍କର ତାଳଧ୍ଵଜ ରଥ ଟଣା ହୋଇ ଶ୍ରୀ ଗୁଣ୍ଡିଚା ମଣ୍ଡପ ଠାରେ ପହଁଚିବ । ସେହିପରି ଦେବୀ ଶୁଭଦ୍ରାଙ୍କର ଦର୍ପଦଳନ ରଥ ଓ ଶ୍ରୀ ଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ଟଣା ହୋଇ ଶ୍ରୀ ହନୁମାନ ମନ୍ଦିର ଓ ନବନାଲ ମଠ ପାଖରେ ରଖାଯିବ । ରଥଯାତ୍ରାରେ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଭକ୍ତମାନେ ରଥକୁ ଟାଣି ନେଉଛନ୍ତି । ଆସନ୍ତା କାଲି ଦିନ ୩.୩୦ ମିନିଟରେ ରଥଟଣା କାର୍ଯ୍ୟ ପୁଣି ଆରମ୍ଭ ହେବ । ଦେବୀ ଶୁଭଦ୍ରାଙ୍କର ଦର୍ପଦଳନ ରଥ ଓ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଟଣାଯାଇ ସୂର୍ଯ୍ୟାସ୍ତ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଠାରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ରାତ୍ର ୯ ଘଟିକା ସମୟରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡି କରାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ନୟାଗଡ଼ ଜିଲ୍ଲା ସୁଚନା ଲୋକ ସମ୍ପର୍କ ବିଭାଗ ଏବଂ ଦେବୋତର ବିଭାଗ ତରଫରୁ ଜଗନ୍ନାଥ ସଂସ୍କୃତିର ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଉଦଘୋଷକ ମାନଙ୍କୁ ଉପଢୌକନ ସହ ସମ୍ବନ୍ଧିତ କରିଥିଲେ । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପ୍ରମୁଖ ଭକ୍ତଙ୍କ ଗହଣରେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା ।
ନୟାଗଡ଼ରେ ରଥଯାତ୍ରା : ପ୍ରଥମେ ବଳଦେବ ଜୀଉଙ୍କ ତାଳଧ୍ଵଜ ରଥକୁ ଟାଣିଲେ ଭକ୍ତ !!!

