ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ କପିଳ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋବର ଦୁର୍ଗନ୍ଧକୁ ନେଇ ଛାତ୍ରଛାତ୍ରୀ ଶ୍ରେଣୀ ଗୃହ ଛାଡି ମୁଖ୍ୟ ଫାଟକରେ ତାଲା ପକାଇବା ସହ ରାସ୍ତାରେ ବସି ପ୍ରତିବାଦ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତରେ ଥିବା କପିଳ ଚରଣ ସରକାରୀ ଉପ୍ରା ବିଦ୍ୟାଳୟରେ । ପୂର୍ବରୁ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲ କମିଟି, ଅଭିଭାବକ ସମେତ ସ୍ଥାନୀୟ ଜନ ପ୍ରତିନିଧି ମିଳିତ ଭାବରେ ଏହି ଘଟଣାକୁ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ! ଯାହାଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି । ତେବେ ସୂଚନା ଥାଉକି କପିଳ ଚରଣ ଉଚ୍ଚ ବିଦ୍ୟାଳୟର ପାଚେରୀକୁ ଲାଗି ସେହି ଅଞ୍ଚଳର କିଛି ଲୋକ ଜୋର ଜବରଦସ୍ତ ଗୋରୁ ଗୁହାଳ ଓ ପାଇଖାନା କରିବା ସହ ସେହି ନିକଟରେ କୁଢ଼ କୁଢ ଖତ ଗଦା କରି ରଖୁଛନ୍ତି । ବର୍ଷା ହେବାପରେ ସେହି ଅଞ୍ଚଳର ରହିବା ସମ୍ଭବ ହେଉନାହିଁ । ଏନେଇ ପୂର୍ବରୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସ୍କୁଲର ପରିଚାଳନା କମିଟି ସଭ୍ୟ ଅନେକ ଥର ସୁକିନ୍ଦା ବିଡ଼ିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ସ୍କୁଲ ନିକଟରେ ଥିବା ସେହି ଖାଲି ସ୍ଥାନଟି ସରକାରୀ ଜମି ହୋଇଥିବାରୁ କିଛି ଅମାନବିକ ବ୍ୟକ୍ତି ଜୋର ଜବରଦସ୍ତ ସ୍କୁଲ ପାଚେରୀ ନିକଟରେ ଗୁହାଳ ଓ ପାଇଖାନା ନିର୍ମାଣ କରିଛନ୍ତି । ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏଭଳି ଅମାନବିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ୧୯୪୩ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଓ ଏଠାରେ ୩୦୨ ଜଣ ଛାତ୍ରଛାତ୍ରୀ ମଧ୍ୟ ଅଧ୍ୟୟନ କରୁଛନ୍ତି । ଦୁର୍ଗନ୍ଧ ହେଉଥିବା କାରଣରୁ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହରେ ବସି ପାଠ ପଢି ପାରୁ ନାହାନ୍ତି ଓ ଶ୍ରେଣୀ ଗୃହ ଭିତରେ ବିଷଧର ସାପ, ବେଙ୍ଗ, ବିଷାକ୍ତ ବିଛା ଭଳି ଅନେକ ସରୀସୃପ ଅନେକ ଥର ଉଦ୍ଧାର ହୋଇଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସରପଞ୍ଚ ରଜନୀ ଦେହୁରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ଏ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ କହିବା ପରେ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ଗୃହକୁ ପ୍ରବେଶ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଏନେଇ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ଅଭିଯୋଗ କରିବା ପରେ ଯଥାଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୂଚନା ଦେଇଛନ୍ତି ।
ଗୋବର ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଲେଣି ଛାତ୍ରଛାତ୍ରୀ !!!

