ପାର୍ବଣର ଋତୁର ଆଗମନରେ ହସୁଚି କାଶତଣ୍ଡୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଧରାବତରଣ ପର୍ବ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇ ଯାଇଛି । ଏହିଠାରୁ ମା ଙ୍କର ପାର୍ବଣର ଆଗମନରେ ମହକି ଉଠେ କାଶତଣ୍ଡି ଫୁଲର ସମ୍ଭାର । ରାସ୍ତାକଡ ନଈପଠା ଜୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳେ କାଶତଣ୍ଡି ଫୁଲ । ସତେ ଯେମିତି ଲାଗେ କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା ଦୁର୍ଗା । ମା’ ଙ୍କର ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲର ଚଦର ଶୋଭାମଣ୍ଡନ କରେ ଧରାପୃଷ୍ଠକୁ । ‘କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’ । ମା’ ଙ୍କ ଆଗମନରେ କାଶତଣ୍ଡିର ଧବଳବର୍ଣ୍ଣା ଧରିତ୍ରୀ ଜଗତ ଜନନୀ ମା ଦୁର୍ଗା ଙ୍କ ଆଗମନ ଆଉ କିଛି ଦିନ ବାକି ରହିଲା । ଧରା ପୃଷ୍ଠ କୁ ଦୁର୍ଗତି ନାଶିନୀ ଦଶଭୁଜା ରୂପେ ଓହ୍ଲାଇ ଆସି ପାପ ଖଣ୍ଡନ ସହିତ ଅସୁର ମାନଙ୍କୁ ସଂହାର କରିବେ । ତେଣୁ ପର୍ବର ଆଗମନରେ ପ୍ରକୃତି ରାଣୀ କୋଳରେ ବିଭିନ୍ନ ନଈ ତୁଠ ଠାରୁ ଆରମ୍ଭ କରି ବିଲ ହୁଡ଼ା ରେ ଦେଖିବାକୁ ମିଳେ କାଶତଣ୍ଡୀ ର ସମ୍ଭାର , ଯାହାକୁ ଦେଖି ବାଟୋଇ ହେଉ ବା ପ୍ରକୃତି କବି ଅଟକି ରହି ଯାଆନ୍ତି ମୁହୂର୍ତ୍ତେ । ପ୍ରକୃତି କବିଙ୍କ ଭାଷାରେ ,ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ସତେ ଯେମିତି ହସୁଛି କାଶତଣ୍ଡୀ ଫୁଲ । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତା କଡ ପର୍ଯ୍ୟନ୍ତ ସବୁଠି ଭରି ଦେଇଛି ସୌନ୍ଦର୍ଯ୍ୟର ଫୁଆର ! ଶରତ ଆଗମନରେ ଜଗତ ଜନନୀ ମା’ ଦୂର୍ଗାକୁ ଆବାହନ କରି କାଶତଣ୍ଡୀ ଧରାପୃଷ୍ଠକୁ ଶୋଭାମଣ୍ଡନ କରୁଛି । ମା’ ଙ୍କର ଆଗମନ ପାଇଁ ସଜେଇ ହେଉଛି ପ୍ରକୃତିରାଣୀ । ଆସନ୍ତା ମାସ ପାର୍ବଣ ଋତୁରେ ପୂଜା ପାଇବେ ମା ଦଶଭୁଜା । ସେଥିପାଇଁ ତ’ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି କାର୍ଯ୍ୟ । ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି ବାଟରେ ଯାଉଥିବା ବାଟୋଇବି ଘଡିଏ ଅଟକି ଯାଉଛି କ୍ୟାମେରାରେ ଏହାର ସୌନ୍ଦର୍ଯ୍ୟ କଏଦ କରିବା ପାଇଁ । କେବଳ ସେତିକି ନୁହେଁ, ଏହି କାଶତଣ୍ଡି ଫୁଲରେ ଜଗତଜନନୀ ମାଆ ଦୁର୍ଗା ଯେତେବେଳେ ସଜେଇ ହୋଇଥାନ୍ତି , ସେତେବେଳର ସେ ଦୃଶ୍ୟ ସତରେ ବେଶ୍ ମନମୁଗ୍ଧକର।

Leave a Reply

Your email address will not be published. Required fields are marked *