ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସଂସାରର କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଚରାଚର ଜୀବଜଗତଙ୍କ ମନରେ ପ୍ରାଣରେ ହୃଦୟରେ ,ପ୍ରକୃତିର ପ୍ରତିଟି ଅଣୁରେ ଅସୀମ ଶକ୍ତି ସଂଚାର କରି, ଜଗତର ମଙ୍ଗଳ ବିଧାନ କରି ମଙ୍ଗଳମୟୀ ମା’ଭଗବତୀ ପବିତ୍ର ଦଶହରାରେ ଶ୍ରଦ୍ଧାଳୁଙ୍କୁ ଶୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରିଛଅ ଭଉଣୀଙ୍କୁ ମେଲାଣୀଦେବା ପରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ । ମା’ଙ୍କର ମାନବୀୟ ଲୀଳାର ପ୍ରତୀକ ବାଣପୁରର ପ୍ରସିଦ୍ଧ ଶାରଦୀୟ ପର୍ବ ସପ୍ତ ମାତୃପୂଜା ଏକ ଅନନ୍ୟ ପରମ୍ପରା । ଜାନିଯାତ୍ରା ପର୍ବପବାଣୀରେ ଝିଅ ମାନେ ବାପ ଘରୁ ଡ଼ାକରା ପାଇ ଏକାଠି ହେବାପରେ ଆନନ୍ଦ ଉଲ୍ଲାସରେ ଯେପରି ସମୟ କଟାନ୍ତି, ପର୍ବଶେଷରେ ଭଉଣୀମାନେ ପରସ୍ପର ପରସ୍ପରଠାରୁ ମେ ଲାଣି ନେଲା ବେଳେ ଯେପରି ଆଖିରୁ ଲୁହ ଝରିପଡ଼େ, ସେହିପରି ଆଜି ଦୀର୍ଘ ଷୋଳଦିନର ମହାଆନନ୍ଦର ସମୟର ଶେଷ ପରେ ସତେଯେପରି ସମସ୍ତଙ୍କ ମନରେ ସେହି ଦୁଃଖର ଛାଇ ଖେଳି ଯାଇଛି। ପୁଣି ଦେଖା ହେବ ଆସନ୍ତା ଆଶ୍ଵିନର ସେହି କୃଷ୍ଣ ଅଷ୍ଟମୀ ତିଥିରେ । ଆଉ ମହାମନ୍ତ୍ରର ଧ୍ଵନୀ ,ଘଣ୍ଟ, ଘଣ୍ଟା କାହାଳୀର ସ୍ଵର ଶୁଭିବ ନାହିଁ ପର୍ବଗୃହରେ । ପର୍ବଗୃହଶୂନ୍ୟ ପଡିଯିବ । ଆଉ ରୋଷଣୀର ଆଲୋକମାଳାରେ ଝଲସିବ ନାହିଁ ମନ୍ଦିର,ମୁଖଶାଳା ପାଟ ଅଗଣା, Iପୁଣି ଆଗାମୀ ଆଶ୍ୱିନ କୁ ଅପେକ୍ଷା । ମା’ କାଳିଜାଇ ଚାଲିଯିବେନୀଳାମ୍ବୁ ଚିଲିକା ମଧ୍ୟକୁ , ନାରାୟଣୀ ଚାଲି ଯିବେ ଭଙ୍ଗିଳଭାଲେରୀର ଖୋଲ ବା ଗୁମ୍ଫା ଦେଉଳକୁ, ଶିଦ୍ଧେଶ୍ଵରୀ ଚାଲିଯିବେ ଶୋଲରୀର ସାମୁକା ପାଖ ଦେଉଳକୁ । ରହିବେ ମା’ କନକ ଦୁର୍ଗା ମନ୍ଦିରରେ କୁମାରପୂର୍ଣ୍ଣମୀ ଯାଏଁ ବରି ଜାଇଙ୍କୁ ନେଇ ।ଦଶହରାର ନିଶାର୍ଦ୍ଧରେ ମା’ ମାନଙ୍କ ମେଲାଣୀ ଉତ୍ସବ ବାଣ ପୁରବାସୀଙ୍କ ମନରେ ଆଣିଦେଇଥିଲା ଅନେକ ଦୁଃଖ ।ବାହାରପର୍ବଗୃହ ସାତବଖରା ଘରୁ ବାହାରି ପ୍ରଥମେ ସାତ ଭଉଣୀ ପଶ୍ଚିମ ଦିଗ ରକ୍ଷା କାରିଣୀ ମା’ ବିରିଜାଇଙ୍କୁ ମେ ଲାଣି ଦେବା ପାଇଁ ମା’ ଭଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ବାହାରି ଥିଲେ। ବାଟରେ ମାଧବଙ୍କ ପ୍ରତୀକ ଶ୍ରୀରଙ୍କ ନାଥ ଦେବ ମଧ୍ୟ ସାଥିରେ ସାମିଲ ହୋଇଥିଲେ।ମା’ଙ୍କ ମନ୍ଦିର କୁଢୁଆ ଦ୍ଵାର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ବାଲୁକା ବେଦି ଉପରେ ଦଣ୍ଡାୟମାନ ହେବାପରେ ପର୍ବ ପୂଜକ, ପରୀଚ୍ଛା,ପତ୍ରୀ,ପାଳିଆ ମାଳି, ନିଯୋଗୀ ସେବାୟତମାନେ ମା’ମାନଙ୍କୁ ସ୍ଵାଗତ କରି ଜୟ ଧ୍ଵନୀ ସହିତ ଆଲଟଚାମର ସେବା କରିଥିଲେ । ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ନୈବେଦ୍ୟ ଅର୍ପଣ,ଅଗ୍ନି ଉତ୍ସବ,ଆଳତୀ ବନ୍ଦାପନା ପରେ ଦେବୀମାନେ ମନ୍ଦିର ପ୍ରବେଶ କରିଥିଲେ । ମନ୍ଦିର ଭିତରେ ବିଜୟ ଦଶମୀର ସମସ୍ତ ନୀତିକାନ୍ତି ସରିବା ପରେ ମା’ ଭଗବତୀ ବଡ଼ ଭଉଣୀ ବିରିଜାଇ ଓ ମା’ କନକ ଦୁର୍ଗାଙ୍କୁ ଛାଡ଼ି ଏକାକୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିବା ବେଳେ ବଡ଼ ଦାଣ୍ଡରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମା’ଙ୍କୁ ପାଛୋଟି ନେଇ ମା’ଙ୍କ ଅତିପ୍ରିୟ ଅଧର ମୁଆଁ ସହିତ ବିଭିନ୍ନ ପ୍ରକାରର ମିଷ୍ଠାନ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ଶାନ୍ତ କରାଇବା ସହିତ ବିଦାୟ ଦେଇଥିଲେ। ପରେ ରାତ୍ରିର ଶେଷ ପ୍ରହରରେ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ମନ୍ଦିରକୁ ପ୍ରବେଶ କରିଥିଲେ । ମା’ଙ୍କ ଏହି ମେଲାଣି ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ମା’କନକ ଦୁର୍ଗା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ସ୍ଥାନୀୟ ପ୍ରଶାସନ, ପୋଲିସ୍, ମନ୍ଦିର ପ୍ରସାଶନ ରଘୁନାଥ ସାହିପକ୍ଷରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ ।
ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ !!!

