ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନବ ବର୍ଷ କୁ କିଏ ଭୋଜି ଭାତ ଆଉ ମଉଜ ମଜଲିସ ରେ କଟାଇ ଥିବା ବେଳେ ପ୍ରକୃତି ବନ୍ଧୁ ତଥା ସାଧୁ ସନ୍ଥ ପୀଠ ର ପୃଷ୍ଠପୋଷକ ସୁକାନ୍ତ ଚୌଧୁରୀ ପରିବେଶ ପ୍ରେମୀ ମାନଙ୍କ ସହଯୋଗ ରେ ଓଡ଼ଗାଁ ବ୍ଲକ୍ ର ଅନ୍ୟତମ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ସୁନାମୁହିଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଞ୍ଚୁ ପାଣ୍ଡବ ପାହାଡ ପାଦଦେଶରେ ଅବସ୍ଥିତ ସାଧୁ ସନ୍ଥ ପୀଠ ରେ ବିଲୁପ୍ତ ହେବାକୁ ବସିଥିବା ଜଙ୍ଗଲି ଫଳ ଗଛ ଚାରା ରୋପଣ କରାଇ ଜୈବ ବିବିଧତା ସଂରକ୍ଷଣ ସହ ପରିବେଶ ସୁରକ୍ଷା ପ୍ରତି ଜନ ସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୁରାଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ଚୌଧୁରୀ ବୃକ୍ଷ ରୋପଣ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ଦାସ , ଭାଗ୍ୟରଥି ମହାରଣା , ସୁନାମୁହିଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ଭୁବନେସ୍ଵର ରୁ ନୂଆ ବର୍ଷ ପାଳନ ଉଦ୍ଦେଶ୍ୟରେ ଆସିଥିବା ଓଡ଼ିଶା ସମାଜସେବୀ ସଂଗଠନ ର ରାଜ୍ୟ ସଭାପତି ନାରାୟଣ ସାହୁ, ସମ୍ପାଦକ ସାରସ୍ଵତ ବିଭୁ ପ୍ରସାଦ, କୋଷାଧ୍ୟକ୍ଷ ନାରାୟଣ ଛୋଟରାୟ ଙ୍କ ସମେତ ଅନ୍ୟ ସଦସ୍ୟ ଗଣ ଏବଂ ସ୍ଥାନୀୟ ପରିବେଶ ପ୍ରେମୀ ଉକ୍ତ କାର୍ଯ୍ୟରେ ସହଯୋଗ କରିବା ସହିତ ଉତ୍ସାହିତ କରିଥିଲେ। ଶ୍ରୀଯୁକ୍ତ ଗୌରଚନ୍ଦ୍ର ସାହୁ ଏବଂ ଶ୍ୟାମ ସୁନ୍ଦର ଚୌଧୁରୀ ସାଧୁ ସନ୍ଥ ପୀଠ ର ଗୌରବମୟ ଅତୀତ ବର୍ଣ୍ଣନା କରିବା ସହିତ ଉକ୍ତ ପୀଠ ର ଉନ୍ନତି ସକାଶେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଜୈବ ବିବିଧତା ସଂରକ୍ଷଣ କରିବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ପ୍ରଦୂଷଣ , ଧ୍ଵନି ତଥା ଅନ୍ୟାନ୍ୟ ପ୍ରଦୂଷଣ ରୁ ମୁକ୍ତ ରଖିବା ପାଇଁ ରାଜ୍ୟ ସରକାର ତଥା ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି । ସାଧୁସନ୍ଥ ପୀଠ ଏବଂ ତାର ବିପରୀତ ପାର୍ଶ୍ବରେ କୁରାଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ମା ବାଗଦେବୀ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା ସହିତ ଇକୋ ଟୁରିଜିମ୍ ର ସୁବ୍ୟବସ୍ଥା କରାଗଲେ ଜୈବ ବିବିଧତା ରକ୍ଷା ସହ ଆଞ୍ଚଳିକ ବିକାଶ ହୋଇ ପାରିବ ବୋଲି ସାଧୁସନ୍ଥ ବିକାଶ ମଞ୍ଚ ର କର୍ମକର୍ତ୍ତା ମାନେ ସ୍ଥାନୀୟ ବିଧାୟକ ଙ୍କ ସମେତ ରାଜ୍ୟ ସରକାରଙ୍କୁ ନୂଆ ବର୍ଷ ରେ ଦାବୀ ଉପସ୍ଥାପନ କରିଛନ୍ତି । ପ୍ରକୃତି ସୁରକ୍ଷା,ଆମରି ରକ୍ଷା, ଜଙ୍ଗଲ ପାହାଡ ଆମର ସାଥି, ତାର ସୁରକ୍ଷା ରେ ଯିବାରେ ମାତି, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ, ସୁରକ୍ଷିତ ହେବ ଆମ ଜୀବନ, ଆସ ଆମେ ପ୍ରକୃତି ର ବନ୍ଧୁ ହେବା ଇତ୍ୟାଦି ସ୍ଲୋଗାନ ମାନ ଦେଇ ଉପସ୍ଥିତ ଗଣ ଶପଥ ଗ୍ରହଣ କରିଥିଲେ ।
ନବ ବର୍ଷ ଉପଲକ୍ଷେ ସାଧୁ ସନ୍ଥ ପୀଠ ରେ ବୃକ୍ଷ ରୋପଣ !!!

