ଆଶା କର୍ମୀଙ୍କ ୯ ଦଫା ଦାବି ନେଇ ଆନ୍ଦୋଳନ : ମାସିକ ୧୮ ହଜାର ଟଙ୍କା ବେତନ ସହ କର୍ମଚାରୀ ମାନ୍ୟତା ଦାବି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ନେଇ ୯ ଦଫା ଦାବି ଉପସ୍ଥାପନ କରାଯାଇଛି ।
ଏହି ଆନ୍ଦୋଳନ ଭାରତୀୟ ମଜଦୁର ସଂଘର ଗଜପତି ଜିଲ୍ଲା ସଭାପତି ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଆଶା କର୍ମୀମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ (BMS)ର କୋଷାଧ୍ୟକ୍ଷ ମୁନା ଜାମି ମଧ୍ୟ ଉପସ୍ଥିତ ଥିଲେ। ଏହାସହ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ, ଜିଲ୍ଲା ସଂଯୋଜିକା, ଜିଲ୍ଲା ସମ୍ପାଦିକା, ସହ ସଂଯୋଜିକା ଏବଂ ବହୁ ସଂଖ୍ୟକ ଆଶା କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସଂଘର ପ୍ରମୁଖ ଦାବି ଅନୁଯାୟୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ସହ ସର୍ବନିମ୍ନ ବେତନ ପ୍ରଦାନ କରାଯାଉ। ସ୍ଥାୟୀ ଘୋଷଣା ନହେବା ପର୍ଯ୍ୟନ୍ତ ପ୍ରତିମାସ ୧୮ ହଜାର ଟଙ୍କା ସର୍ବନିମ୍ନ ବେତନ ପ୍ରଦାନ କରିବାକୁ ଦାବି କରାଯାଇଛି । ସମସ୍ତ ଆଶା କର୍ମୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ESI ଓ EPFO ଅଧୀନରେ ପଞ୍ଜୀକୃତ କରିବା ସହ ପ୍ରତିମାସ ୧୦ ତାରିଖ ମଧ୍ୟରେ ସମସ୍ତ ପ୍ରକାର ମାନଦେୟ ପ୍ରଦାନ ସୁନିଶ୍ଚିତ କରିବାକୁ ସଂଘ ଦାବି କରିଛି । ଆଶା କର୍ମୀମାନଙ୍କ ପ୍ରତି ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ହେଉଥିବା ଦୁର୍ବ୍ୟବହାର, ଅତ୍ୟାଚାର ଓ ଅସଦାଚରଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ସ୍ୱାଭିମାନର ସହ କାମ କରିବା ପାଇଁ ଉପଯୁକ୍ତ ପରିବେଶ ଯୋଗାଇଦେବାକୁ ଦାବି ହୋଇଛି । ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଆଶା କେନ୍ଦ୍ର ନିର୍ମାଣ କରିବା ଏବଂ ପ୍ରତ୍ୟେକ PHC ଓ CHCରେ ଆଶା ଗୃହ ନିର୍ମାଣ ପାଇଁ ମଧ୍ୟ ସଂଘ ଦାବି ଉଠାଇଛି । ଶିକ୍ଷାଗତ ଯୋଗ୍ୟତା ଆଧାରରେ ଆଶା କର୍ମୀମାନଙ୍କୁ ତାଲିମ ଦେଇ ANM ପଦବୀକୁ ପଦୋନ୍ନତି ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ମଧ୍ୟ ଦାବି କରାଯାଇଛି । କାର୍ଯ୍ୟ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ଆଶା କର୍ମୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଶାରୀରିକ ଅକ୍ଷମତା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ସହାୟତା ଗ୍ରୁପ୍ ଇନ୍ସୁରାନ୍ସ ମାଧ୍ୟମରେ ପ୍ରଦାନ କରିବାକୁ ସଂଘ ଦାବି କରିଛି । ସେବାନିବୃତ୍ତି ସମୟରେ ପ୍ରତ୍ୟେକ ଆଶା କର୍ମୀଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଏବଂ ପ୍ରତିମାସ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଉ। ଏହାସହ ଆଶା କର୍ମୀମାନଙ୍କୁ ମାତୃତ୍ୱକାଳୀନ ସୁବିଧା, ପ୍ରସୂତିକାଳୀନ ଛୁଟି ଓ ଭତ୍ତା ପ୍ରଦାନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ଦାବି ହୋଇଛି । ଡିଜିଟାଲ୍ ମାଧ୍ୟମରେ ସୁଚାରୁ ରୂପେ କାର୍ଯ୍ୟ ପରିଚାଳନା ପାଇଁ ସମସ୍ତ ଆଶା କର୍ମୀଙ୍କୁ ଉଚ୍ଚ ଗୁଣବତ୍ତାସମ୍ପନ୍ନ 5G ମୋବାଇଲ୍ ଫୋନ୍ ପ୍ରଦାନ କରିବାକୁ ମଧ୍ୟ ସଂଘ ଦାବି କରିଛି । ଆଶା କର୍ମୀମାନେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାର ଏକ ପ୍ରମୁଖ ଅଂଶ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ବେଳେ ସେମାନଙ୍କ ଏହି ୯ ଦଫା ଦାବିକୁ ସରକାର ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପୂରଣ କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା—ଆଶା କର୍ମୀମାନଙ୍କ ଏହି ୯ ଦଫା ଦାବି ଉପରେ ସରକାର କେବେ ଏବଂ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

Leave a Reply

Your email address will not be published. Required fields are marked *