କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଚୌଧୁରୀ ବଜାର କମିଟିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି କମିଟିର କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଚୌଧୁରୀ ବଜାରର କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକଙ୍କ ସମ୍ପର୍କରେ କିଛି ବ୍ୟକ୍ତିଙ୍କ ପକ୍ଷରୁ ମନ୍ତବ୍ୟ ଏବଂ ଅଭିଯୋଗ ନେଇ ମାନ୍ୟବର ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବକ୍ତବ୍ୟ ରଖାଯାଇଥିବା ଘଟଣାକୁ ନେଇ କମିଟି ପକ୍ଷରୁ ଆପତ୍ତି ଉଠାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ନିଜକୁ ଚୌଧୁରୀ ବଜାର କିମ୍ବା ଶ୍ରୀଶ୍ରୀ ଦୁର୍ଗା ପୂଜା କମିଟିର ମୁଖପାତ୍ର ଭାବେ ପରିଚୟ ଦେଇ ବକ୍ତବ୍ୟ ରଖିଥିବା ବ୍ୟକ୍ତି ଚୌଧୁରୀ ବଜାରର ସ୍ଥାୟୀ ବାସିନ୍ଦା ନୁହନ୍ତି କିମ୍ବା କମିଟିର କୌଣସି ସଦସ୍ୟ ମଧ୍ୟ ନୁହନ୍ତି। ତେଣୁ କମିଟିର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ଓ ନିୟମ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୂର୍ଣ୍ଣ ଅବଗତି ନଥିବା ବୋଲି କମିଟି ପକ୍ଷରୁ ଦାବି କରାଯାଇଛି। ଏହାସହ ଚୌଧୁରୀ ବଜାର ପୂଜା କମିଟିର ନିୟମ ସମ୍ପର୍କରେ ସ୍ପଷ୍ଟ କରି କୁହାଯାଇଛି ଯେ, ନୂତନ କମିଟି ଗଠନ ନହେବା ପର୍ଯ୍ୟନ୍ତ ପୂର୍ବତନ ସଭାପତି ଓ ସମ୍ପାଦକ କାର୍ଯ୍ୟକାରୀ ଭାବେ ଦାୟିତ୍ୱ ତୁଲାଇଥାନ୍ତି ଏବଂ କମିଟିର ସମସ୍ତ କାର୍ଯ୍ୟ ପରିଚାଳନା କରିଥାନ୍ତି। ସୋମବାର ଅନୁଷ୍ଠିତ ‘କଟକ ମହାନଗର ଶାନ୍ତି କମିଟି’ର ଜେନେରାଲ ବଡି ବୈଠକରେ କଟକ ସହରର ବିଭିନ୍ନ ଅଞ୍ଚଳ ଓ ବିଭିନ୍ନ ବର୍ଗର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ମାର୍କେଟର କର୍ମକର୍ତ୍ତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଚୌଧୁରୀ ବଜାରର ପୂର୍ବତନ ସଭାପତି ଓ ସମ୍ପାଦକ କେବଳ ଗୋଟିଏ ପଦବୀ ସହିତ ସୀମିତ ନୁହନ୍ତି, ସେମାନେ ବିଭିନ୍ନ ସାମାଜିକ ଓ ଅନୁଷ୍ଠାନ ସହ ମଧ୍ୟ ଜଡିତ ଥିବାରୁ ଶାନ୍ତି କମିଟିର ବୈଠକରେ ସେମାନଙ୍କ ଯୋଗଦାନକୁ ନେଇ ଭିନ୍ନ ଅର୍ଥ କରିବା ଠିକ୍ ନୁହେଁ ବୋଲି କମିଟି ସ୍ପଷ୍ଟ କରିଛି। କମିଟିର ନିୟମ ଅନୁଯାୟୀ ନୂତନ କମିଟି ଗଠନ ନହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ସଭାପତି ଓ କାର୍ଯ୍ୟକାରୀ ସମ୍ପାଦକ ବିଭିନ୍ନ ସଭା ଓ ସମିତିରେ ଯୋଗଦାନ କରିପାରିବେ ଏବଂ ଏଥିରେ କୌଣସି ପ୍ରଶ୍ନବାଚୀ ନାହିଁ ବୋଲି କୁହାଯାଇଛି। ଏହାସହ ଶାନ୍ତି କମିଟିର ନିମନ୍ତ୍ରଣ ଏବଂ ଚୌଧୁରୀ ବଜାର କମିଟିର ଆଭ୍ୟନ୍ତରୀଣ କାର୍ଯ୍ୟ ସମ୍ପର୍କରେ ମାନ୍ୟବର ଡିଜିଙ୍କ କାର୍ଯ୍ୟାଳୟକୁ ଯାଇ ଅନଧିକୃତ ଭାବେ ବକ୍ତବ୍ୟ ରଖିବାର ଅଧିକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ କମିଟି ପକ୍ଷରୁ ଦିଆଯାଇନଥିବା ଦାବି କରାଯାଇଛି। ଚୌଧୁରୀ ବଜାରର ଐତିହ୍ୟ, ପରମ୍ପରା ଓ କମିଟିର ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କରେ ଅବଗତ ନଥିବା ବ୍ୟକ୍ତିମାନେ ଅଯଥା ହସ୍ତକ୍ଷେପ କରି ବଜାରର ମାନସମ୍ମାନକୁ କ୍ଷୁଣ୍ଣ ନକରିବା ସହ ରାଜନୈତିକ ଉଦ୍ଦେଶ୍ୟରେ ବିବାଦ ସୃଷ୍ଟି ନକରିବାକୁ ବଜାର ସଦସ୍ୟମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ କମିଟିର କାର୍ଯ୍ୟକାରୀ ସଭାପତି ଦେବାଶିଷ ରାୟ, କାର୍ଯ୍ୟକାରୀ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସିଂହ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ସପନ କୁମାର ଗୁଇଁଙ୍କ ସମେତ ଉପଦେଷ୍ଟା ଦୀପକ କୁମାର ନନ୍ଦୀ, କାଳନ୍ଦୀ ନାରାୟଣ ମଲ୍ଲିକ, ଅଶୋକ ସେନ ଓ ଜଗନ୍ନାଥ ବେହେରା ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ଆଗାମୀ ଦିନରେ ଚୌଧୁରୀ ବଜାର କମିଟିକୁ ନେଇ ଉପୁଜିଥିବା ବିବାଦର ସମାଧାନ ନିର୍ବାଚନ କିମ୍ବା ସିଲେକ୍ସନ ମାଧ୍ୟମରେ କରାଯିବ ବୋଲି କମିଟି ପକ୍ଷରୁ ସଙ୍କେତ ଦିଆଯାଇଛି। ତେବେ ଏହି ବିବାଦର ଅନ୍ତ କେବେ ଏବଂ କେଉଁ ପ୍ରକ୍ରିୟାରେ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ତୁଟୁନି ଚୌଧୁରୀ ବଜାର ବିବାଦ : ସଭାପତି ଓ ସମ୍ପାଦକଙ୍କ ପକ୍ଷରୁ ସ୍ପଷ୍ଟୀକରଣ !!!

