ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ମେଡିକାଲ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ରବିବାର ସନ୍ଧ୍ୟାରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଲୁଟ୍ ଘଟଣା ଘଟିଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଯଖପୁରା ଥାନା ଅନ୍ତର୍ଗତ ନୀଳମଣିଦେଇପୁର ଗ୍ରାମର ମନ୍ମଥ କୁମାର ଶତପଥୀ ନିଜ ପରିବାର ସହ ଢେଙ୍କାନାଳରୁ ଘରକୁ ଫେରୁଥିଲେ। ରବିବାର ସନ୍ଧ୍ୟାରେ ସେମାନେ ସୁକିନ୍ଦା ମେଡିକାଲ ସମ୍ମୁଖରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିବା ସମୟରେ ଏହି ଲୁଟ୍ର ଶିକାର ହୋଇଥିଲେ । ଅଭିଯୋଗ ଅନୁସାରେ, ମୁହଁରେ କପଡ଼ା ବାନ୍ଧିଥିବା ଦୁଇ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍ ମୋଟରସାଇକେଲ୍ରେ ଆସି ମନ୍ମଥଙ୍କ ଭଉଣୀ ତିଳୋତ୍ତମା ମିଶ୍ରଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଫେରାର୍ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସୁକିନ୍ଦା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ମେଡିକାଲ ଛକ ପରି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହେବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଲୁଟେରାଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଏଭଳି ଘଟଣା ରୋକିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ସୁକିନ୍ଦା ମେଡିକାଲ ଛକ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ : ଅଞ୍ଚଳରେ ଆତଙ୍କ !!!

