ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ଓଡ଼ିଶା-ଆନ୍ଧ୍ର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବଂଶଧାରା ନଦୀ ଜଳ ବଣ୍ଟନ ବିବାଦ ଓ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡି ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନରୁ ଲାଗି ରହିଥ‌ିବା ବିବାଦର ସମାଧାନ ପାଇଁ ଶନିବାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳସମ୍ପଦ ଭବନର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ଓ ନିର୍ଦ୍ଦେଶର କାର୍ଯ୍ୟକାରିତା ସମେତ ପ୍ରକଳ୍ପ ନିର୍ମାଣ ଯୋଗୁଁ ଓଡ଼ିଶା ପାର୍ଶ୍ଵରେ ସମ୍ଭାବ୍ୟ କ୍ଷୟକ୍ଷତି ଏବଂ ଜମି ଅଧୂଗ୍ରହଣକୁ ନେଇ ଉଭୟ ରାଜ୍ୟର ଅଧିକାରୀ ଓ ପ୍ରଭାବିତ ଅଞ୍ଚଳର ପ୍ରତିନିଧିଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବୈଠକରେ ସୁପରଭାଇଜର କମିଟିର ସଦସ୍ୟ ତଥା ସିଡବ୍ଲ୍ୟୁସିର ଅଧୀକ୍ଷଣ ଯନ୍ତ୍ରୀ ଆଦିତ୍ୟ ଶର୍ମା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ବଂଶଧାରା ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ଜି. ରାମଚନ୍ଦ୍ର ରାଓ, ପାରଳାଖେମୁଣ୍ଡି ସ୍ଥିତ ନାଗାବଳୀ-ବଂଶଧାରା ଅବବାହିକାର ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀ ଏ ରାମପ୍ରସାଦ ରାଓ,ଏବଂ ଭୁବନେଶ୍ଵରସ୍ଥିତ ଆନ୍ତଃରାଜ୍ୟ ଜଳସମ୍ପଦ ସମସ୍ୟା ବିଭାଗର ମୁଖ୍ୟ ଯନ୍ତ୍ରୀ ଅର୍ଜୁନ ପାଲ୍‌ଙ୍କ ସମେତ ଉଭୟ ରାଜ୍ୟର ବୈଷୟିକ ଅଧୂକାରୀ ଯୋଗଦେଇଥିଲେ | ଏଥିସହ ବ୍ୟାରେଜ୍ ନିର୍ମାଣ ଯୋଗୁଁ ପ୍ରଭାବିତ ହେବାକୁ ଥ‌ିବା ଓଡ଼ିଶା ପାର୍ଶ୍ଵର ୧୬ ଜଣିଆ ପ୍ରତିନିଧ ଦଳ ମଧ୍ୟ ଉପସ୍ଥିତ ରହି ନିଜର ଦାବି ଓ ଆପତ୍ତି ଜଣାଇଥିଲେ | ଆଲୋଚନା ସମୟରେ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ୟାରେଜ୍ ନିର୍ମାଣ ସ୍ଥଳରେ ଉଭୟ ରାଜ୍ୟର ପ୍ରତିନିଧୂଙ୍କ ଉପସ୍ଥିତିରେ ଜମି ଚିହ୍ନଟ, ସମ୍ଭାବ୍ୟ କ୍ଷୟକ୍ଷତିର ସଠିକ୍ ଆକଳନ ଓ କ୍ଷତିପୂରଣ ସମ୍ପର୍କରେ ଜନସାଧାରଣଙ୍କ ସ‌ହ ସିଧାସଳଖ ଆଲୋଚନା କରିବାକୁ ଦାବି ହୋଇଥିଲା। ଏହି ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆଗକୁ ନ ବଢ଼ାଇବାକୁ ମଧ୍ୟ ପ୍ରତିନିଧୂମାନେ ପ୍ରସ୍ତାବ ରଖିଥିଲେ । ଆନ୍ଧ୍ର ଅଧିକାରୀଙ୍କ ପକ୍ଷରୁ ପ୍ରକଳ୍ପ ସମ୍ପର୍କିତ କେତେକ ତଥ୍ୟ ଉପସ୍ଥାପନ କରାଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ଦାବି ଓ ପ୍ରସ୍ତାବ ସରକାରଙ୍କୁ ଅବଗତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଥିଲେ |

Leave a Reply

Your email address will not be published. Required fields are marked *