ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ବସ୍ତୁ ଥିଲା “ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ସାମ୍ବାଦିକ ଭବନର ସଭାପତି ଶ୍ରୀ ରଜତ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ବହୁ ବରିଷ୍ଠ ସାମ୍ବାଦିକ ଯଥା ହୁସେନ ଖାନ,ଶ୍ରୀ ରାମକୃଷ୍ଣ ରଥ, ଶ୍ରୀ ବୈଦ୍ୟ ଭୂଷଣ ମହାପାତ୍ର, ଶ୍ରୀ ଶୁଭେନ୍ଦୁ ଦାସ, ଶ୍ରୀ ଜୟେନ୍ଦ୍ର ବେହେରା ଆଦି ଆଜି ଦିବସର ଅନୁଚିନ୍ତା ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ l
ନିଜର ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନର ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ କେବଳ ‘ଟିଆରପି’ କିମ୍ବା ବ୍ରେକିଂ ନ୍ୟୁଜ୍ ପଛରେ ନଦୌଡ଼ି ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବା ସହ ଗଣତନ୍ତ୍ରର ସୁରକ୍ଷା ଓ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ର ନୀତିନିୟମ ଅନୁଯାୟୀ ନିରପେକ୍ଷ ସାମ୍ବାଦିକତା କରିବା ଏବଂ କୌଣସି ବିବାଦୀୟ ଘଟଣାରେ ଏକତରଫା ଖବର ପ୍ରକାଶ ନକରି ଉଭୟ ପକ୍ଷର ମତାମତ ନେବା ଓ ସମାଜର ବୃହତ୍ତର ସ୍ୱାର୍ଥ ଓ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା ପ୍ରତି ଦୃଷ୍ଟି ଦେବା ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ମଂଚାସୀନ ଅତିଥିମାନେ ମଧ୍ୟ ନିଜ ଅଭିଭାଷଣରେ ଶସ୍ତା ଲୋକପ୍ରିୟତା ବା ମିଥ୍ୟା ଖବର ପ୍ରସାରଣ ନ କରି ସାମ୍ବାଦିକମାନେ ଯଦି ନିଜର କର୍ତ୍ତବ୍ୟବୋଧ ଓ ଦାୟିତ୍ୱବୋଧକୁ ଠିକ୍ ଭାବେ ନିର୍ବାହ କରିବେ, ତେବେ ଲୋକପ୍ରିୟତା ଆପେଆପେ ଆସିବ ଏବଂ ଜିଲ୍ଲାର ନକାରାତ୍ମକ ଖବର ଅପେକ୍ଷା ନୟାଗଡ଼ର କଳା, ସଂସ୍କୃତି ଓ ପର୍ଯ୍ୟଟନର ସକାରାତ୍ମକ ଦିଗକୁ ଲୋକଲୋଚନକୁ ଆଣି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢ଼ିତୋଳିବା ଦିଗରେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଆଲୋଚନା କରିଥିଲେ l
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ଗୁରୁତ୍ୱ ଏବଂ ସମାଜର ଉନ୍ନତିରେ ଏହାର ଭୂମିକା ସମ୍ପର୍କରେ ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ ମନ୍ତବ୍ୟ ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱପୂର୍ଣ୍ଣ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଧନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରାଯାଇଥିଲା l


