ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ! ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଯୋଗଦାନ ! ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ରଥ ଛକ ପ୍ରାଙ୍ଗଣରେ ଦ୍ୱିତୀୟ ଥର ପାଇଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ ହୋଇଯାଇଛି। ଏହି ମେଳାରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତରୁ ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଯାଜପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ରଭାନୁ ମହାନ୍ତି ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ଅନିରୁଦ୍ଧ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ରଞ୍ଜିତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା, ଏହାର ସୁବିଧା ଓ ଉପାଦେୟତା ସମ୍ପର୍କରେ ଅବଗତ କରାଯାଇଥିଲା। ମେଳାର ମୁଖ୍ୟ ଆକର୍ଷଣ ଭାବେ ୪ ଜଣ ସଫଳ ଚାଷୀଙ୍କୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାସହ ସଫଳ ଚାଷୀମାନେ ନିଜ ନିଜର ସଫଳତାର ଅନୁଭୂତି ଓ କାହାଣୀ ଉପସ୍ଥିତ ଚାଷୀଙ୍କ ସହ ବାଣ୍ଟିଥିଲେ। ଅନ୍ୟପକ୍ଷରେ ୮ ଜଣ ଚାଷୀଙ୍କୁ କାର୍ଯ୍ୟ ଅନୁମତିପତ୍ର ପ୍ରଦାନ କରାଯାଇଥିଲା।
ସୁକିନ୍ଦା ବ୍ଲକର ବିଭିନ୍ନ ବିଭାଗ ପକ୍ଷରୁ ୧୨ଟି ଷ୍ଟଲ ଖୋଲାଯାଇ ସରକାରୀ ଯୋଜନା, ମତ୍ସ୍ୟଚାଷ ଓ ପ୍ରାଣୀସମ୍ପଦ ବିକାଶ ସମ୍ପର୍କିତ ବିଭିନ୍ନ ସୂଚନା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିସହ ମିଶନ ଆଶ୍ରା ଓ ଆମଘର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ବ୍ଲକ ସାଂସ୍କୃତିକ ପରିଷଦ ପକ୍ଷରୁ ପାଲା ମାଧ୍ୟମରେ ଚାଷୀମାନଙ୍କୁ ବିଭାଗୀୟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।
ମେଳାର ସଂଯୋଜକ ତଥା ସୁକିନ୍ଦା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସମୀର କୁମାର ବେହେରା ମେଳାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରିୟବ୍ରତ ମହାନ୍ତି, ପ୍ରାଣୀ ଚିକିତ୍ସକ ଡାକ୍ତର ରାକେଶ କୁମାର ବେହେରା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୀପ୍ତିରଞ୍ଜନ ସାହୁ, ସମସ୍ତ ପ୍ରାଣିଧନ ନିରୀକ୍ଷକ ଓ କର୍ମଚାରୀ, ଲୋକପ୍ରତିନିଧି ଏବଂ ସାମ୍ବାଦିକମାନେ ଯୋଗଦେଇ ମେଳାର ସଫଳତାରେ ସହଯୋଗ କରିଥିଲେ। ଶେଷରେ ସୁକିନ୍ଦା ବ୍ଲକର ସହାୟକ ମତ୍ସ୍ୟ ଅଧିକାରୀ ସୁଶ୍ରୀ ମୁନି ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।


