ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ମଠ ଜମିକୁ କେନ୍ଦ୍ରକରି ଢେଙ୍କେଣା ଗ୍ରାମବାସୀ ଓ ବଳଭଦ୍ରପୁରର ଦେବରାଜ ସାହୁଙ୍କ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଦୀର୍ଘ ବାରବର୍ଷ ତଳେ ଦେବରାଜ ଓ ମଠ ମହନ୍ତ ପର୍ଶୁରାମ ଦାସଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ମାଧ୍ୟମରେ ଜମି ନେଣଦେଣ ହୋଇଥିଲା । ଏହି ଜମି ଉପରେ ରାସ୍ତା ନିର୍ମାଣ କରି ଲୋକମାନେ ଯିବାଆସିବା କରନ୍ତି । କିନ୍ତୁ ବାରବର୍ଷ ପରେ ହଠାତ୍ ଢେଙ୍କେଣା ଗ୍ରାମର ସଭାପତି ସନାତନ ପ୍ରଧାନଙ୍କ ସହିତ କିଛି ଗ୍ରାମବାସୀ ଆସି ସେହି ରାସ୍ତାଟିକୁ ତାଡି ଦେଇଥିଲେ । ଦେବରାଜ ଘରେ ନଥିବାରୁ ତାଙ୍କ ପୁଅ ରବିନ୍ଦ୍ର ସାହୁ ରାସ୍ତା ଖୋଳାକୁ ବିରୋଧ କରିବାରୁ ଜେସିବି ମାଲିକ ତାଙ୍କୁ ଜେସିବିରେ ପୋତି ମାରିଦେବାକୁ ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାସ୍ତାଟି ଖୋଳା ହୋଇ ନଷ୍ଟ ହୋଇଯିବାରୁ ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ଦେବରାଜ ସାହୁ ମାଳିସାହି ଫାଣ୍ଡି ଏବଂ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ସମସ୍ୟାକୁ ଗୁରୁତ୍ଵର ସହ ନେଇ ଏହାର ତୁରନ୍ତ ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି।