ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବିଲିପଡା ପଞ୍ଚୟତ ବିଲିମନ୍ତ୍ରୀ ସାହିରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ବିଲିମନ୍ତ୍ରୀ ସାହି, ହରିଜନ ସାହିର ସୁଲୋଚନା ଗୁରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁଲୋଚନା ଗତକାଲି ବିଲକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ମଧ୍ୟାହ୍ନ ସମୟରେ ଘର ଲୋକେ ତାଙ୍କୁ ଖାଇବାକୁ ଖୋଜିଲା ବେଳକୁ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ନପାଇବାରୁ ବାଙ୍କୀ ଥାନାରେ ନିଖୋଜ ଥିବା ଏତଲା ମଧ୍ୟ ଦେଇଥିଲେ । ତେବେ ଘର ଲୋକ ପୁଣିଥରେ ଆଜି ସକାଳୁ ଖୋଜାଖୋଜି କରିବାରୁ ଜମିରେ ତାଙ୍କର ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ବାଙ୍କୀ ମେଡିକାଲକୁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ଘଟିଛି ତାହା ଜଣାପଡିବ ବୋଲି ପୋଲିସ କହିଛି ।ସେପଟେ ମୃତ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୁଲୋଚନା ଜମିକୁ କାମ କରିବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ଜୀବନ ଚାଲିଯାଇଛି । ଏବେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଓ ପରିବାରଙ୍କ ପକ୍ଷରୁ ହୋଇଛି ଦାବି.
ଚାଷଜମିରୁ ମହିଳାଙ୍କ ଶବ ଉଦ୍ଧାର : ବଜ୍ରପାତ ଜନିତ ମୃତ୍ୟୁ ଆଶଙ୍କା !!

