“ଏକ ଦେଶ ଏକ ବଜାର” କେନ୍ଦ୍ର ସରକାରଙ୍କ ବିଭ୍ରାନ୍ତିକର ବାର୍ତ୍ତାକୁ ଏ.ଆଇ.ୟୁ.ଟି.ୟୁ.ସି.ଓ ଏ.ଆଇ.କେ.କେ.ଏମ୍‌.ଏସ୍ ର ଵିରୋଧ । 

0
187

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କର ସର୍ବନାଶ ପାଇଁ ଆଣିଥିବା କଳା କୃଷି ଆଇନ୍ ଯଥା ଚୁକ୍ତି ଚାଷ ଆଇନ୍‌, ୧୯୫୫ ମସିହା ଅତ୍ୟାଆବଶ୍ୟକ ସାମଗ୍ରୀ ଆଇନ୍‌ର ସଂଶୋଧନ, ଘରୋଇ ମଣ୍ଡି ଆଇନ୍ ଓ ବିଦ୍ୟୁତ ଆଇନ୍ ୨୦୨୦ ବାତିଲ ବାଦିରେ ଆନ୍ଦୋଳନ କରିବା ପାଇଁ  ଦେଶର ଲକ୍ଷ ଲକ୍ଷ କୃଷକ ଏବଂ କୃଷି ଶ୍ରମିକମାନେ ଦିଲ୍ଲୀ ଅଭିମୁଖେ ଆଗେଇ ଚାଲିଥିଲର । ମାତ୍ର  ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରାନଦେବା ଉଦ୍ଦେଶ୍ୟରେ ସରକାର ସେମାନଙ୍କୁ ଦିଲ୍ଲୀ ସୀମାରେ ଅଟକାଇ ୧୪୪ ଧାରା ଜାରି କରିବା, ହଜାର ହଜାର ଚାଷୀ ଓ ନେତାମାନଙ୍କୁ ଜବରଦସ୍ତ ଅଟକ ରଖିବା ସହ ପ୍ରଚଣ୍ଡ ଶୀତରେ ସେମାନଙ୍କ ଉପରେ ପାଣିମାଡ଼ କଲେ, ଲୁହବୁହା ଗ୍ୟାସ୍‍ ଛାଡ଼ିଲେ । ଏହି ସବୁ ବର୍ବରତାକୁ ଦୃଢ଼ତାର ସହ ସାମ୍ନା କରି ଲକ୍ଷ ଲକ୍ଷ ଚାଷୀ ରାଜରାସ୍ତାରେ ବସି ରହିଛନ୍ତି । ଏହି ଆନ୍ଦୋଳନକୁ ସଂହତି ଜଣାଇ ତଥା କଳା କୃଷି ଆଇନ୍ ବାତିଲ ଦାବିରେ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି.ଓ କୃଷକ ସଂଗଠନ ଏ.ଆଇ.କେ.କେ.ଏମ୍‌.ଏସ୍ ପକ୍ଷରୁ ଆଜି କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।  ବିକ୍ଷୋଭ ସଭାରେ ଏସ୍‌.ୟୁ.ସି,ଆଇ(ସି) କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଏ.ଆଇ.ୟୁ.ଟି.ୟୁ.ସି କଟକ ଜିଲ୍ଲା ସଂପାଦକ  ରାଜକିଶୋର ମଲ୍ଲିକ, ଶ୍ରମିକ ନେତା ଖଗେଶ୍ୱର ସେଠୀ, ଚାଷୀ ନେତା ବସନ୍ତ ନାୟକ, ଏସ୍‌.ୟୁ.ସି,ଆଇ(ସି) କଟକ ଜିଲ୍ଲା କମିଟି ସଭ୍ୟ ସିଦ୍ଧାର୍ଥ ରଥ, ଶ୍ରମିକ ରେତା ଦିପକ ଦାସ, ସସ୍ମିତା ମହାନ୍ତି, ଶୋଭା ଦେହୁରୀ, ପାଭେଲ ପ୍ରିୟଦର୍ଶନ ଓ ସ୍ୱାଧୀନୀ ବେହେରା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ର ଏହି ଚକ୍ରାନ୍ତକାରୀ କୃଷି ମାରଣ ନୀତିକୁ ତୀବ୍ର ନିନ୍ଦା କରଥିଲେ।
‘ଏକ ଦେଶ, ଏକ ବଜାର’ ଏବଂ ସେଭଳି ଅନ୍ୟାନ୍ୟ ମଧୁର ଓ ବିଭ୍ରାନ୍ତିକର ସ୍ଲୋଗାନ୍‍ ଦେଇ ଚାଷୀମାନଙ୍କର ସର୍ବନାଶ କରିବା ଓ କର୍ପୋରେଟ ହାଉସକୁ କୃଷି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଅବାଧ ସୁଯୋଗ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି କଳା ଆଇନ୍  ଆଣିଛନ୍ତି । ଯତେବେଳେ ସମଗ୍ର ଦେଶ କୋଭିଡ଼-୧୯ ମହାମାରୀ ସହ ବର୍ତ୍ତମାନ ମଧ୍ୟ ସଂଗ୍ରାମରତ; ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଗଭୀର ଦୁଃଖ ଓ ସଙ୍କଟରେ ଜର୍ଜରିତ, ଅର୍ଥନୈତିକଭାବେ ପ୍ରଚଣ୍ଡ ଅସ୍ଥିରତାର ସାମ୍ନା କରୁଛନ୍ତି, ସେତେବେଳେ କେନ୍ଦ୍ରସରକାରଙ୍କ ଏହି ଗରିବ ଚାଷୀ, ଶ୍ରମିକ ଓ ଜନଗଣଙ୍କ ଉପରେ ନିଷ୍ଠୁର ପ୍ରହାର ଅତ୍ୟନ୍ତ ନିନ୍ଦନୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ରେଳବାଇ, ପରିବହନ ଇତ୍ୟାଦି ସରକାରୀ ଓ ସେବାମୂଳକ କ୍ଷେତ୍ରର ଘରୋଇକରଣ ପରେ ସେମାନେ ବର୍ତ୍ତମାନ କୃଷି କ୍ଷେତ୍ରର ଘରୋଇକରଣ ପାଇଁ ଲାଗି ପଡ଼ିଛନ୍ତି । କୃଷକମାନେ ଅନ୍ନଦାତା ଏବଂ କୃଷି ଦେଶର ମେରୁଦଣ୍ଡ । ମାତ୍ର ସରକାର ଚାଷୀମାନଙ୍କର ଜୀବନଧାରଣର ମୌଳିକ ସାଧନକୁ ଛଡ଼େଇ ନେଇ ସେମାନଙ୍କୁ ସିଧା ରାସ୍ତାକୁ ଠେଲି ଦେବାକୁ ଚକ୍ରାନ୍ତ କରୁଛନ୍ତି । ସରକାର ଆଣିଥିବା କଳା କୃଷି ଆଇନ୍ ବାତିଲ କରିବା, ଚାଷୀମାନଙ୍କ ଦୀର୍ଘଦିନର ଦାବି ଯଥା- ଋଣ ଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସବ୍‌ସିଡ ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ସର୍ବସ୍ତରର ଜନଗଣ ସମର୍ଥନ କରିବା ସହ ଆଗାମୀ ଦିନରେ ଚାଷୀ ମାରଣ ନୀତି ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here