ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଏବଂ ହତ୍ୟା ମାମଲାରେ ଏସଆଇଟି ଟିମ ୩ ଜଣଙ୍କୁ ଉଠାଇ ନେଇଥିବାର ସୂଚନା ମିଳିଛି . ତେବେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବ ବୋଲି ଜଣାଯାଇଛି . ଜୁଲାଇ 14 ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା ପାଞ୍ଚ ବର୍ଷର ନାବାଳିକା ପରୀ . ଦଶ ଦିନ ପରେ ତାର ବୀଭତ୍ସ ମୃତ ଶରୀର ମିଳିବା ପରେ ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା . ପ୍ରାଥମିକ ସ୍ତରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିଲା ନୟାଗଡ ପୁଲିସ . ତେବେ ଘଟଣାକୁ ନେଇ ଜୋରଦାର ଆନ୍ଦୋଳନ ହେବା ପରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ . ଏ ମଧ୍ୟରେ ଏସଆଇଟି ତାର ତଦନ୍ତ ଆରମ୍ଭ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ରିପୋର୍ଟ ଦାଖଲ କରିସାରିଛି . ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏସଆଇଟି ସ୍କାନର ରେ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୩ ଜଣଙ୍କୁ କବଜାକୁ ନେଇଛି ତଦନ୍ତକାରୀ ଟିମ . ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ କରି ବିଜେପି ଆନ୍ଦୋଳନ ଜାରି ରଖିଥିବା ସମୟରେ ଜୋରସୋରରେ ତେଜିବାରେ ଲାଗିଛି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ . ଅନ୍ୟପକ୍ଷରେ ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ ହୋଇଥିବା ଘଟଣାକୁ ସହଜରେ ମାନି ପାରୁନାହାନ୍ତି ପରୀର ପରିବାର ଲୋକେ . ଏପରି ସ୍ଥିତିରେ ଏସଆଇଟି ଟିମ କାହାକୁ ଗିରଫ କରିଛି ଏବଂ କିଏ ଏପରି ଜଘନ୍ୟ ଘଟଣାରେ ସମ୍ପୃକ୍ତ ସେ ଉପରେ ଏବେ ସମସ୍ତଙ୍କ ନଜର .