ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ବ୍ୟାସନଗର ଅଧିନସ୍ଥ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 13ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରସ୍ତାବିତ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ଦାବୀରେ ନିଗମର ଯାଜପୁର ରୋଡ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗତ 11ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଜାରି ରହିଛି ରିଲେ ଅନଶନ ଓ ଧାରଣା . ଆଜି ଏହି ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ । ଶ୍ରୀ ଘଡେଇ କହିଲେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଏହି ଦାବି ଯଥାର୍ଥ । ନିଗମ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସେମାନଙ୍କର ଦାବୀ ପୂରଣ କରନ୍ତୁ ! ସୂଚନା ଅନୁଯାୟୀ ଦୀର୍ଘ 28ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀ ମାନେ ଅବସର ଭତ୍ତା ନପାଇ ଜିଲ୍ଲା କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଯାଏଁ ଆବେଦନ କରି ଏହି ମାମଲା ଦାୟର କରିଥିଲେ । 2019 ମସିହା ଜାନୁଆରୀ ମାସରେ ଅବସର କାଳୀନ ସ୍ବତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଗମ ବୋର୍ଡରେ ଅନୁମୋଦନ ମିଳିଥିଲା । ଏହାର ସରକାରୀ ସୁପାରିଶ ପାଇଁ ଫେବୃଆରୀ ମାସରେ ସରକାରଙ୍କ ଇସ୍ପାତ୍ ଖଣି ବିଭାଗକୁ ଏହା ପଠାଯାଇଥିଲା । ମାତ୍ର ଏହାକୁ ଦୁଇବର୍ଷ ବିତିବାକୁ ବସିଥିଲେ ହେଁ ଏ ଯାଏ ଅବସର କାଳୀନ ସ୍ୱତନ୍ତ୍ର ଭତ୍ତା ମିଳି ପାରିଲା ନାହିଁ । ଏଥିନେଇ ସଂଘ ପକ୍ଷରୁ ଓ ଏମସି କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଜାରି ରହିଛି । ଦାବୀ ପୂରଣ ନହେବା ଯାଏ ଏହି ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।