ରଘୁନାଥ ଧାମ ରେ ମାତିଛନ୍ତି ଜମି ଦଲାଲ : ମନ୍ଦିର ସମ୍ପତ୍ତି ହଡପ ପାଇଁ ଷଡଯନ୍ତ୍ର !!!

0
954

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନେତାଙ୍କୁ ଘାରିଛି ଜମି ନିଶା , କଳ ବଳ କୌଶଳ ଲଗାଇ ଅକ୍ତିଆର କରି ଚାଲିଛନ୍ତି ଏକର ଏକର ଜମି . ଶାସକ ଦଳର ସମର୍ଥକ ବୋଲି ମାନୁ ନାହାନ୍ତି ଆଇନ କାନୁନ ବିଧି ବ୍ୟବସ୍ଥା . ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ଚାପ ପକାଇ କଳା କୁ ଧଳା କରି ଚଳାଇଛନ୍ତି ଜମି କେଳେଙ୍କାରୀ . ଏପରି ସାଙ୍ଘାତିକ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ଓଡଗାଁ ଅଞ୍ଚଳରେ . ସରକାରୀ , ଅନାବାଦୀ, ପତିତ ଜମି କଥା ଛାଡ – ମନ୍ଦିର ସମ୍ପତ୍ତି ହଡପ କରିବା ପାଇଁ ହେଉଛି ଷଡଯନ୍ତ୍ର . ଆଉ ଏଥିରେ ପ୍ରମୂଖ ସହଯୋଗୀ ପାଲଟିଛନ୍ତି ସରକାରୀ ବାବୁମାନେ, ଆଉ ଯଦି କେଉଁଠି କାମ ଅଟକି ଯାଉଛି ତେବେ ରାଜଧାନୀରୁ ଯାଉଛି ପ୍ରଭାବଶାଳୀ ମନ୍ତ୍ରୀ ଙ୍କ ଫୋନ କଲ !

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ରଘୁନାଥ ପୀଠ ଓଡଗାଁ . ପ୍ରାଚୀନ କିର୍ତ୍ତୀରାଜି ସହ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଶ୍ରୀରାମ ମନ୍ଦିର ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ . ରଘୁନାଥ ମନ୍ଦିରକୁ ଛାଡି ଓଡଗାଁରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର , ରାଧାମୋହନ ଜୀଉଙ୍କ ମନ୍ଦିର ଏବଂ ବହୁ ଅନ୍ୟାନ୍ୟ ଦେବପୀଠ ରହିଅଛି . ତେବେ ସହର ମଝିରେ ଥିବା ନିତ୍ୟାନନ୍ଦ ସାହିସ୍ଥିତ ରାଧାକୃଷ୍ଣ ଙ୍କ ମନ୍ଦିର ଜମିକୁ କେହି ବିକ୍ରୟ କବଲା କରି କିଣିନେବା ଘଟଣାକୁ ନେଇ ଜୋର ଧରିଛି ଚର୍ଚ୍ଚା ଆଲୋଚନା . ସୂଚନା ଅନୁଯାୟୀ ଓଡଗାଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ରାଧାକୃଷ୍ଣଙ୍କ ମନ୍ଦିର ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସ୍ଥାପିତ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ତାହାର ପୂଜାବିଧି ଏବଂ ପରିଚାଳନା ହୋଇଥାଏ . ତେବେ ମନ୍ଦିର ଜମି ଜନୈକ ବ୍ୟକ୍ତିଙ୍କ ମାଲିକାନାରେ ଥିବାରୁ ତାଙ୍କର ଉତ୍ତରାଧିକାରୀଙ୍କୁ ପ୍ରଲୋଭିତ କରି ଜଣେ ଜମି ମାଫିଆ ତାହାକୁ ନିଜ ନାମରେ କବଲା କରାଇ ନେଇଛନ୍ତି .

ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଅବସ୍ଥିତ ଥିବା ଜମି ଲୋକନାଥ ମିଶ୍ର ନାମକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିଲା . ଜମିର ସମ୍ମୁଖ ଭାଗରେ ଥିବା ସରକାରୀ ଜମିକୁ ଗତ ବନ୍ଦୋବସ୍ତରେ ସମ୍ପୃକ୍ତ ବ୍ୟକ୍ତି ନିଜ ନାମରେ କରାଇ ନେଇଥିଲେ . ତେବେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କ୍ରମେ ମନ୍ଦିର ପୂଜାବିଧି ଚାଲୁଥିବାରୁ ଜମିର ମାଲିକାନା ନେଇ କେବେ ଦ୍ଵନ୍ଦ ଦେଖା ଦେଇ ନଥିଲା . ଲୋକନାଥ ମିଶ୍ରଙ୍କ ମୃତ୍ୟୁ ପରେ ତାଙ୍କ ପାଳିତ ପୁତ୍ର ଜମିର ଏକ ଅଂଶକୁ ବିକ୍ରି କରିବା ପରେ ଦେଖା ଦେଇଛି ବିବାଦ . ସ୍ଥାନୀୟ ଲୋକଙ୍କ ବିନା ପରାମର୍ଶରେ ମନ୍ଦିର ଅକ୍ତିଆରରେ ଥିବା ଜମିର ଏପରି ବିକ୍ରି କବଲା ଘଟଣା ଯାଇ ଅଦାଲତରେ ପହଞ୍ଚିଛି . ଅନ୍ୟ ପକ୍ଷରେ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନୟାଗଡ଼ର କେତେକ ସୂଚନା କର୍ମୀ ଏବଂ ସାମାଜିକ କର୍ମୀ ମାନ୍ୟବର ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ପାଇଁ ଆଇନ ପରାମର୍ଶ ଆରମ୍ଭ କରିଛନ୍ତି .

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜମିର ସଠିକ ବିବରଣୀ ଉଲ୍ଲେଖ ନଥିବା କବଲା କୁ ସ୍ଥାନୀୟ ସବ-ରେଜିଷ୍ଟର କିପରି ଅନୁମୋଦନ କଲେ ତାହା ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ . ପୁନଶ୍ଚ ସ୍ୱଳ୍ପ ସମୟ ମଧ୍ୟରେ ଡେଥ ସାର୍ଟିଫିକେଟ , ଉତ୍ତରାଧିକାରୀ ପ୍ରମାଣପତ୍ର ଏବଂ ବିକ୍ରୟ କବଲା ସମ୍ପାଦନା ଜମି ହଡପ ଷଡଯନ୍ତ୍ର ଆଡକୁ ସନ୍ଦେହ ଟାଣି ନେଉଛି . ତେବେ ଓଡଗାଁ ତହସିଲ ଅଧିନସ୍ଥ ବିଭିନ୍ନ ଜାଗା ହସ୍ତାନ୍ତର ସମ୍ପର୍କରେ ଭିଜିଲାନସ ତଦନ୍ତ ହେଲେ ଆହୁରି ଅନେକ ଜମି କେଳେଙ୍କାରୀ ର ରହସ୍ୟ ପଦାକୁ ଆସିବା ସହିତ ଧଳା ପୋଷାକ ପିନ୍ଧା ବ୍ୟକ୍ତିଙ୍କ କଳା କାରନାମା ର ପର୍ଦ୍ଦାଫାଶ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି .

LEAVE A REPLY

Please enter your comment!
Please enter your name here