ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ପୋଷ୍ଟର ବିବାଦକୁ ନେଇ ଭିନ୍ନ ମୋଡ଼ । ବିଜେଡି – ବିଜେପି କଳି ସାମାଜିକ ଗଣମାଧ୍ୟମରୁ ଆରମ୍ଭ ହୋଇ ରାଜଧାନୀର ରାସ୍ତାରେ ଘଟିଲା ଅଭାବନୀୟ କାଣ୍ଡ । ନିଜକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଲୋକ ବୋଲି ପରିଚୟ ଦେଇ ଗତକାଲି ରାତିରେ କଳ୍ପନା ବୁଦ୍ଧନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କଲେ କିଛି ଯୁବକ । ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ସାଂସଦଙ୍କ ଦୁଇଜଣ ଖାସ ଅନୁଗତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀ ସାଗର ଥାନା ପୁଲିସ ।
ସୂଚନା ଅନୁଯାୟୀ ଘଟଣାର ସୂତ୍ରପାତ ହୋଇଛି ରାଜ୍ୟର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରୀୟ ବାଇ-ଲ କୁ ନେଇ । ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଚାରିପାଖରେ ସେଫ ଜୋନ ଦୂରତାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କେନ୍ଦ୍ର ତରଫରୁ ବାଇ-ଲ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ସଂକ୍ରାନ୍ତରେ ବାଇ-ଲ ଅପରିବର୍ତ୍ତିତ ରହିଥିବାରୁ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ । ସାମାଜିକ ଗଣମାଧ୍ୟମରେ ଏନେଇ କଟୁକ୍ତି କଟାକ୍ଷ ପରେ ସାଂସଦ ଅପରାଜିତା ଙ୍କ ନୀରବତା ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ସାଂସଦଙ୍କ ନୀରବତା ନେଇ ଏକ ବିବାଦୀୟ ପୋଷ୍ଟର ମଧ୍ୟ ଭାଇରାଲ ହୋଇଥିଲା ।
ଏହି ପୋଷ୍ଟର କୁ ନେଇ ଆରମ୍ଭ ହେଇଛି ବିବାଦ
ଗତକାଲି ରାତିରେ ରାସ୍ତା ପାର୍ଶ୍ଵ ରେ ଥିବା ପ୍ରାଚୀର ଏବଂ କ୍ୟାବିନରେ କିଛି ଯୁବକ ଏକ ଘରୋଇ ନର୍ସିଂହୋମ ର ପୋଷ୍ଟର ଲଗାଉଥିଲେ . ସେହି ସମୟରେ ଦୁଇ ତିନୋଟି ଗାଡ଼ିରେ କିଛି ଯୁବକ ପହଂଚି ସେମାନଙ୍କୁ ଜାରି ଧମକ ଦେବା ସହ କାହିଁକି ସାଂସଦଙ୍କ ନାମରେ ପୋଷ୍ଟର ମାରୁଛ ବୋଲି ପଚାରିଥିଲେ ବୋଲି ପୋଷ୍ଟର ମାରୁଥିବା ଲୋକେ ପ୍ରକାଶ କରିଛନ୍ତି . ତେବେ ସେମାନେ ନର୍ସିଂହୋମ ର ପୋଷ୍ଟର ଲଗାଉଥିବା କଥା କହିଥିଲେ ସୁଦ୍ଧା ଶୁଣି ନଥିଲେ ସାଂସଦଙ୍କ ଅନୁଗତ . ସାଙ୍ଗରେ ଆଣିଥିବା କିଛି ଚିରା ପୋଷ୍ଟର ଯୁବକମାନଙ୍କ ବ୍ୟାଗ ରେ ରଖି ଧମକ ଦେଇ ଭିଡିଓ କରିଥିଲେ . ଏପରିକି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ପୋଷ୍ଟର ଲଗାଉଥିବାର କହିବାକୁ ବାଧ୍ୟ କରିଥିଲେ . ସମ୍ପୃକ୍ତ ଯୁବକ ମାନେ ଏ କଥାରେ ରାଜି ନହେବାରୁ ସେମାନଙ୍କୁ ମାଡ ମାରିଥିଲେ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି . ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ସମୟରେ ମାଡ ଖାଇଥିବା ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି .
ମନ୍ଦିର ସଂକ୍ରାନ୍ତୀୟ ବାଇ-ଲ ପ୍ରଣୟନ ଏବଂ ନିଷ୍ପତ୍ତି ପ୍ରତ୍ୟାହାରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ସମୟରେ ସାଂସଦଙ୍କ ଅନୁଗତଙ୍କ ଏପରି କାଣ୍ଡ ଏବଂ ଗୁଣ୍ଡାଗର୍ଦ୍ଦି ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି . ତେବେ ସାମାଜିକ ଗଣମାଧ୍ୟମରେ ଏପରି ବିବାଦୀୟ ପୋଷ୍ଟର ଅପଲୋଡ଼ ଏବଂ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବା ଘଟଣା ନିନ୍ଦନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ସାଂସଦଙ୍କ ଅନୁଗତ ମାନଙ୍କ ଏପରି ଅପରାଧିକ କାର୍ଯ୍ୟକଳାପ ଦଣ୍ଡନୀୟ ବୋଲି ଆଲୋଚନା ହେଉଛି .