ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଶାଖାର ସଂଯୁକ୍ତ ମୋର୍ଚ୍ଚା ତରଫରୁ ଢେଙ୍କାନାଳ ଏଲଆଇସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାରତ ସରକାରଙ୍କର ଏଲଆଇସି ଭଳି ରାଷ୍ଟ୍ରାୟତ ସଂସ୍ଥା କୁ ଇନିସିଆଲ ପବ୍ଲିକ ଅଫରିଙ୍ଗ ମାଧ୍ୟମରେ ଘରୋଇକରଣ କରିବା ନୀତିକୁ ସଂଯୁକ୍ତ ମୋର୍ଚ୍ଚା ତୀବ୍ର ବିରୋଧ କରିଛି । ଏଥି ସମ୍ବନ୍ଧୀୟ ଦାବି ପତ୍ର AIIEA ର ଆହ୍ୱାନ କ୍ରମେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଙ୍କ ଠାରୁ ଆରମ୍ଭ କରି ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କୁ ପ୍ରଦାନ କରାଯାଇଛି । ଏହି ଘରୋଇକରଣକୁ ବିରୋଧ କରି ସମଗ୍ର ଦେଶରେ ପ୍ରାୟ 200 ରୁ ଅଧିକା ସାଂସଦଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ପୁଞ୍ଜିପତି ହାତକୁ ଟେକିଦେବା ପ୍ରସ୍ତାବ ଗୁଡିକୁ ବାତିଲ କରିବା, ସମ୍ବଳ ସଂଗ୍ରହ ଆଳରେ ଏଲଆଇସି IPO ପ୍ରତ୍ୟାହାର ବାତିଲ କରିବା, ବିମାକ୍ଷେତ୍ରରେ ବିଦେଶୀ ପୁଞ୍ଜି ସୀମା 49 ଶତକଡ଼ା ରୁ 74 ଶତକଡ଼ା ବୃଦ୍ଧି ପ୍ରସ୍ତାବକୁ ବାତିଲ କରିବା ଏବଂ ଏବେ ଦେଶରେ ସୃଷ୍ଟି ହୋଇଥିବା ବେରୋଜଗରୀ, ମୁଦ୍ରା ସ୍ପିତି ଏବଂ ପେଟ୍ରୋଲିୟମ ପଦାର୍ଥ ର ଅହେତୁକ ମୂଲ୍ୟବୃଦ୍ଧି କୁ ଆୟତ୍ତ କରିବା ଆଦି ଦାବି ଗୁଡିକ ଉପସ୍ଥାପନ କରିଥିଲେ ସଂଯୁକ୍ତ ମୋର୍ଚ୍ଚାର ଆବାହକ ସୟଦ ଜୁଲଫିକର ଅହମଦ। ବିକ୍ଷୋଭ ସ୍ଥଳରେ ଏଲଆଇସି କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

