କନ୍ଧମାଳରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ : ମେଡିକାଲ କଲେଜ ଅଗ୍ରଗତି ସମୀକ୍ଷା କଲେ !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କନ୍ଧମାଳରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ ପହଂଚି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର ଉପଲବ୍ଧତା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଚୟନ କରିଥିବା ସ୍ଥାନକୁ ପ୍ରଶଂସା କରିଛନ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଓ ଜଳ ସଂରକ୍ଷଣ ସଂରଚନା ପାଇଁ ଯୋଜନା କରିବାକୁ ସଂଲଗ୍ନ ପାହାଡ ଏବଂ ଜଳ ସମ୍ପଦ ବିଭାଗରେ ବୃକ୍ଷରୋପଣ କରାଯିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଫାଇଭ-ଟି ସଚିବ ରୋଗୀଙ୍କ ପାଇଁ ଖାଦ୍ୟ ସୁବିଧା କରିବା ପାଇଁ ପରାମର୍ଶ ଦେଇଛନ୍ତି । କ୍ୟାମ୍ପସରେ ରହୁଥିବା ଡାକ୍ତର ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ପରିବେଶ ଅନୁକୂଳ ବ୍ୟବସ୍ଥା ସମେତ ସେମାନଙ୍କ ପରିବାର ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ହସ୍ପିଟାଲ ପରିସର ମଧ୍ୟକୁ ଯାନବାହାନ ଯାତାୟାତ ଓ ଦୁର୍ଘଟଣା ଏଡ଼ାଇବାକୁ ଅଟୋ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛନ୍ତି ।ଏହି କ୍ୟାମ୍ପସରେ ୩୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ, ୧୫୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ, ୬୫୦ କ୍ଷମତା ସମ୍ପନ୍ନ ଅଡିଟୋରିୟମ, ଡାକ୍ତରମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ରହିଛି । ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୦୨୦ ଡିସେମ୍ବରରେ ଅନୁମୋଦନ କରିଥିଲା । ଫୁଲବାଣୀରେ ଥିବା ମେଡିକାଲ କଲେଜରେ ୧୦୦ଟି ସିଟ୍ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଅନୁମୋଦନ କରାଯାଇଥିଲା । ୪୫୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି । ପରେ ଉଚ୍ଚସ୍ତରୀୟ ଦଳ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ପରିଦର୍ଶନ କରିଥିବା ସୂଚନା ମିଳିଛି । ମୋ ସ୍କୁଲ ଅଭିଯାନର ଏକ ଅଂଶ ଭାବରେ ଉଭୟ ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ଏଥିରେ ଅଧିକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଏହି ପରିଦର୍ଶନ ସମୟରେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ-ଟି ସଚିବ ଶିକ୍ଷକ, ଛାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ସେହି ଦୁଇଟି ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ଓ କ୍ରୀଡା ସୁବିଧା ବ୍ୟବସ୍ଥା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *