ବାଲେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି ରଖିଛି ରୋଟାରୀ ଗ୍ରୁପ . କହୁଣୀ ଠାରୁ ତଳକୁ ହାତ ନଥିବା ବ୍ୟକ୍ତିମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ କୃତିମ ହାତ ପ୍ରଦାନ କରି ସେମାନଙ୍କର ଦୈନନ୍ଦିନ କାମକୁ ସହଜ ସରଳ କରିବାର ପରିକଳ୍ପନା ନେଇ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ LN 4 . ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଦ୍ୱାରା ବ୍ରହ୍ମପୁରରରେ ଏବଂ ରୋଟାରୀ କ୍ଲବ ଅଫ ଇନଫୋସିଟି ଦ୍ୱାରା ରାଜଧାନୀର ପଟିଆରେ ସଫଳ ଶିବିର ଆୟୋଜନ ପରେ , ଏବେ ରୋଟାରୀ କ୍ଲବ ଅଫ ବାଲେଶ୍ଵର ଦ୍ୱାରା ଦିବ୍ୟାଙ୍ଗ ମାନଙ୍କ ପାଇଁ ଶିବିର ଆୟୋଜନ ପାଇଁ ପ୍ରୟାସ ଆରମ୍ଭ ହୋଇଛି .
ଆସନ୍ତା ଜୁନ ମାସ 30 ତାରିଖରେ ବାଲେଶ୍ଵରରେ ଏହି କ୍ୟାମ୍ପ ଆୟୋଜନ ହେବ ବୋଲି ପ୍ରାଥମିକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି . ବାଲେଶ୍ଵରରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ରୋଟାରୀ କ୍ଲବ ଅଫ ଇନଫୋସିଟିର ବରିଷ୍ଠ ସଦସ୍ୟମାନେ ଯୋଗଦେଇ ଶିବିର ଆୟୋଜନର ଅନୁଭୂତି ସେୟାର କରିଥିଲେ . ରୋଟାରୀ କ୍ଲବ ଅଫ ବାଲେଶ୍ଵର ଦ୍ଵାରା ଆୟୋଜିତ ହେବାକୁ ଥିବା ଏହି ଶିବିର ପାଇଁ ଖୁବ ଶୀଘ୍ର ହିତାଧିକାରୀଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି . ସୂଚନାଯୋଗ୍ୟ ଯେ , ରାଜଧାନୀର ପଟିଆରେ ଆୟୋଜିତ LN 4 ଶିବିରରେ ( ପ୍ରୋଜେକ୍ଟ ସ୍ୱାଭିମାନ ) ପାଖାପାଖି ୩ ଶହ ରୁ ଅଧିକ ଦିବ୍ୟାଙ୍ଗ ଯୋଗଦେଇ କୃତିମ ହାତ ଲଗାଇଥିଲେ . .