ଆସିଲା ମନ୍ତ୍ରୀ ବନାମ ସରପଞ୍ଚ ଲଢ଼େଇର ଫଳାଫଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାର ବହୁ ଚର୍ଚ୍ଚିତ ପଞ୍ଚାୟତ ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଆଗତ ହୋଇଥିବା ଅନାସ୍ଥା ଭୋଟ ରେ ହାରି ଯାଇଛନ୍ତି . ପଞ୍ଚାୟତର ସମସ୍ତ 15 ଜଣ ୱାର୍ଡ ସଭ୍ୟ ତାଙ୍କ ବିରୋଧରେ ମତଦାନ କରିଛନ୍ତି . ତେବେ ସ୍ଥାନୀୟ ଅଂଚଳରେ ଗୋଟିଏ କଥା ଚର୍ଚ୍ଚା ହେଉଛି – କ୍ଷମତା ବ୍ୟବହାର କରି ସିନା ଅନାସ୍ଥା ରେ ହରାଇଦେଲ , ହେଲେ ଲୋକଙ୍କ ଆସ୍ଥାକୁ ହରାଇବ କେମିତି !!

ନୟାଗଡ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ସେବେ ଆସିଥିଲେ ଚର୍ଚ୍ଚାକୁ , ଯେବେ ଯଦୁପୁର ଗ୍ରାମର ନାବାଳିକା ପରୀ ଅପହରଣ ଓ ହତ୍ୟା ଘଟଣା ନେଇ ମୁହଁ ଖୋଲିଥିଲେ .ଏପରିକି ନାବାଳିକାର ପିତାମାତା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ଫୋନ କରି ଏଥିରୁ ନିବୃତ୍ତ ରହିବାକୁ କହିବା ଘଟଣା ମଧ୍ୟ ସେ ସର୍ବସାଧାରଣରେ ପ୍ରକାଶ କରିଥିଲେ . ପରୀକୁ ନ୍ୟାୟ ପ୍ରଦାନ ପାଇଁ ଜାରି ରଖିଥିଲେ ନିଜର ଲଢେଇ . ହେଲେ ଅର୍ଥ ସର୍ବସ୍ୱ ଭୋଟ ରାଜନୀତି ତାଙ୍କ ସ୍ୱରକୁ ଚାପି ଦେବାପାଇଁ ଆରମ୍ଭ କରିଥିଲା ପ୍ରୟାସ . ପ୍ରଥମେ ନୟାଗଡ଼ର ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବହାର କରି ପଞ୍ଚାୟତର କାମକୁ ରୋକ ଲଗାଗଲା . ତାପରେ ତାଙ୍କୁ ପଦଚ୍ୟୁତ କରିବା ପାଇଁ ସମସ୍ତ ୱାର୍ଡ ସଭ୍ୟଙ୍କୁ ନେଇ ଅଜ୍ଞାତବାସରେ ରଖାଗଲା . ଏବଂ ଯାହା ପୂର୍ବାନୁମାନ ହେଉଥିଲା , ଆଜି ତାର ପ୍ରତିଫଳନ ଦେଖିବାକୁ ମିଳିଛି .

ସାମାଜିକ କାମରୁ ରାଜନୀତିକୁ ଆସିଥିବା ସୌମ୍ୟ , ଲୋକଙ୍କ ପାଇଁ ସଦା ସର୍ବଦା ରହିବେ ଏବଂ କାମ କରିବେ ବୋଲି ପ୍ରକାଶ କରିଛନ୍ତି . ଗତ ପଞ୍ଚାୟତ ନିର୍ବାଚନରେ ନୟାଗଡ ଅଞ୍ଚଳର ଟାଣୁଆ ନେତା ତଥା ମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ନିରଞ୍ଜନ ବିଧାର ଙ୍କୁ ସିଧାସଳଖ ଭୋଟ ରେ ପରାସ୍ତ କରିବା ପରେ ଜିଲ୍ଲା ରାଜନୀତିରେ ବେଶ ଚର୍ଚ୍ଚିତ ହୋଇଥିଲେ ସୌମ୍ୟ . ପୁନଶ୍ଚ ସୂଚନା ଅଧିକାରରେ ବିଭିନ୍ନ ଘୋଟଲାର ତଥ୍ୟ ମାଗି ତାହାର ପର୍ଦ୍ଦାଫାସ କରିଥିବା କାରଣରୁ ପ୍ରଶାସନିକ ଅଧିକାରୀଙ୍କର ଚକ୍ଷୁଶୀଳ ମଧ୍ୟ ଥିଲେ . ତେବେ ନାବାଳିକା ପରୀ ହତ୍ୟା ଘଟଣାରେ ସିଧାସଳଖ ଶାସକ ଦଳର ସମର୍ଥକ ଏପରିକି ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଥିଲେ ସରପଞ୍ଚ ସୌମ୍ୟ . ଶେଷରେ ମନ୍ତ୍ରୀ , ନେତା , ସମର୍ଥକ , ୱାର୍ଡ ସଭ୍ୟ ଏବଂ ଅଧିକାରୀଙ୍କ ଅଘୋଷିତ ମେଣ୍ଟ ସରପଞ୍ଚଙ୍କୁ ପଦଚ୍ୟୁତ କରିବା ଯୋଜନାରେ ସଫଳ ହୋଇଛନ୍ତି .

Leave a Reply

Your email address will not be published. Required fields are marked *