ବାଣିଆ ଗଣଦୁଷ୍କର୍ମ ଘଟଣାକୁ ବିତିଲା ୧୦ ଦିନ : କୋର୍ଟରେ ପିଡୀତାଙ୍କ ବୟାନ ରେକର୍ଡ !!!

0
914

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ବିଗତ ଦିନରେ ଚର୍ଚ୍ଚାକୁ ଆସିଥିବା ବାଙ୍କୀ ରେ ଘଟିଛି ଗଣଦୁଷ୍କର୍ମ ପରି ଚାଞ୍ଚଲ୍ୟକର ଘଟଣା . ବାଙ୍କୀ ବ୍ଲକ ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ବାଣିଆ ଗ୍ରାମରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ପାଞ୍ଚଦିନ ପରେ ସାମନାକୁ ଆସିଥିଲା . ଗତ 14 ତାରିଖରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ପ୍ରଥମେ ଚାପିବା ପାଇଁ ଜୋରସୋର ଉଦ୍ୟମ ହୋଇଥିବାର ଅଭିଯୋଗ ଆସିଛି . ତେବେ ପିଡୀତାଙ୍କ ବାପା ଗତ 19 ତାରିଖରେ ବୈଦେଶ୍ଵର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗ୍ରହଣ କରିଥିଲା ପଦକ୍ଷେପ . ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମୟରେ ଆଉ ତିନି ଜଣ ଫେରାର ଅଛନ୍ତି .

ପିଡୀତାଙ୍କ ପିତା ବଟକୃଷ୍ଣ ଫତେସିଂହ ବୈଦେଶ୍ଵର ଥାନାରେ ଦାଖଲ କରିଥିବା ଏତଲା ଅନୁଯାୟୀ ବୈଦେଶ୍ଵର ପୁଲିସ ଥାନା କେଶ ନମ୍ବର 37 / 20201 ଏବଂ ଦଫା 376 ( D ) , 506 ଏବଂ 34 ଧାରାରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି . ଅଭିଯୋଗ ଫର୍ଦ୍ଦରେ ପାଞ୍ଚ ଜଣଙ୍କ ନାମ ଥିବା ସମୟରେ ଅଭିଯୁକ୍ତ ନଂ ( 1 ) ଚନ୍ଦନ ସିଂହ ଏବଂ ଅଭିଯୁକ୍ତ ନଂ ( 5) – ରୋନା ଚମ୍ପତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି . ଅନ୍ୟ ଅଭିଯୁକ୍ତ ନନ୍ଦୁ ସିଂହ , ଦିଲ୍ଲୀପ ସାମଲ ଏବଂ ବଣ୍ଟି ସିଂହ ଫେରାର ହୋଇଛନ୍ତି .

ଘଟଣା ରୁ ପ୍ରକାଶ ଯେ , ଗତ 14 ତାରିଖ ଦିନ ବାଣିଆ ଗ୍ରାମର ବଟକୃଷ୍ଣ ଫତେସିଂହ ଙ୍କ ଝିଅ କବିତା ( ଛଦ୍ମନାମ ) ସନ୍ଧ୍ୟା ସମୟରେ ଶୌଚ ପାଇଁ ଯାଇ ଫେରୁଥିବା ବେଳେ ସେହି ଗ୍ରାମର ପାଞ୍ଚଜଣ ଯୁବକ ତାଙ୍କ ପାଟିରେ ଗାମୁଛା ମାଡି ବଳପୂର୍ବକ ଉଠାଇ ନେଇଥିଲେ . ପାଖରେ ଥିବା ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ସହ ମୁମୂର୍ଷୁ ଅବସ୍ଥାରେ ପକାଇ ଫେରାର ହୋଇଥିଲେ . ଏପରିକି ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା କଥା ଏତଲାରେ ଦର୍ଶାଇଛନ୍ତି ଅଭିଯୋଗକାରୀ . ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଯୁବକ ମାନେ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ତଥା ପ୍ରଭାବଶାଳୀ ସୁଧ ବେପାରୀଙ୍କ ପିଲା ହୋଇଥିବାରୁ ରାଜନୈତିକ ଚାପ ପକାଇ ଏବଂ ଅର୍ଥ ଦେଇ ଘଟଣାକୁ ଚପାଇ ଦେବା ପାଇଁ ଅପପ୍ରୟାସ ହୋଇଥିଲା . ହେଲେ ଶେଷରେ 19 ତାରିଖ ଦିନ , ଅର୍ଥାତ ଗଣଦୁଷ୍କର୍ମ ଘଟଣାର ପାଞ୍ଚ ଦିନ ପରେ ମାମଲା ଯାଇ ପହଞ୍ଚିଥିଲା ବୈଦେଶ୍ଵର ଥାନାରେ . ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି . ଏ ମଧ୍ୟରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବ ସହିତ ମାନ୍ୟବର ଅଦାଲତଙ୍କ ପାଖରେ ବୟାନ ରେକର୍ଡ କରାଯାଇଛି . ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ତଦନ୍ତକାରୀ ଅଧିକାରୀ .

2020 ମସିହା ଆରମ୍ଭରୁ ବାଙ୍କୀ ଖଜୁରୀପଦା ଡବଲ ମର୍ଡର ଘଟଣା , ବର୍ଷ ଶେଷ ଆଡକୁ ଘୋଳପୁର ର ବୋମାମାଡ ହତ୍ୟା ଘଟଣା ଏବଂ 2021 ର ଏପରି ଗଣଦୁଷ୍କର୍ମ ଘଟଣା ବାଙ୍କୀର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି . ଅନ୍ୟପକ୍ଷରେ ସମସ୍ତ ଘଟଣାରେ ସିଧା ସଳଖ ଶାସକ ଦଳର କର୍ମୀ ଓ ଛାମୁଆ ନେତା ସାମିଲ ଥିବାରୁ ବାଙ୍କୀ ରେ ଜଙ୍ଗଲ ରାଜ ଚାଲିଥିବାର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତାମାନେ . ତେବେ ବାଣିଆ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ କିଛି ଅଭିଯୁକ୍ତ ବିଗତ ଦିନରେ ବିଜୁ ଯୁବ ବାହିନୀର ସକ୍ରିୟ କର୍ମକର୍ତ୍ତା ଥିବାରୁ ସାମାଜିକ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦୃଢ ହେବାରେ ଲାଗିଛି ଦାବୀର ସ୍ୱର .

LEAVE A REPLY

Please enter your comment!
Please enter your name here