ବାଙ୍କୀ ରେ ଶାସକ ଦଳ ଅନୁଗତ – ଗଣମାଧ୍ୟମ ପ୍ରତିନିଧି ଫେସ ଟୁ ଫେସ !!!

0
1887

ଫେସବୁକ ରେ ଚାଲିଛି 20-20 ମ୍ୟାଚ : ଥାନାରେ ଡବଲ ଏତଲା

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗୀ ପଞ୍ଚାୟତର ଶାସକ ଦଳର କିଛି ସମର୍ଥକ ଏବଂ ବାଙ୍କୀର ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି . ବିଗତ ଦିନରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଥିବା ପ୍ରିୟାପ୍ରୀତୀ ଏବେ ଦୁର୍ନୀତି ସମ୍ପର୍କୀୟ ଖବର ପ୍ରସାରଣ ପରେ ଭିନ୍ନ ମୋଡ ନେଇଛି . ଏକାଠି ବସା , ଖିଆପିଆ ଭୋଜିଭାତରେ ମସଗୁଲ ଥିବା ସମ୍ପର୍କ ଏବେ ଯାଇ ଥାନାରେ ପହଞ୍ଚି ସାରିଲାଣି . କୁସୁପଙ୍ଗୀ ସରପଞ୍ଚ ପୁଷ୍ପଲତା ପରିଡା ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଧମକ ଦେଇ ଅର୍ଥ ଆଦାୟ କରୁଥିବା ସମ୍ପର୍କରେ ବାଙ୍କୀ ଥାନାରେ ଅଭିଯୋଗ କରିଥିବା ସମୟରେ , ସରପଞ୍ଚଙ୍କ ସ୍ୱାମୀ ତଥା ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସିତ ଜେନାଙ୍କ ନାମରେ , ଦୈନିକ ଓଡ଼ିଆ ଖବରକାଗଜ ସମାଜ ର ସାମ୍ବାଦିକଙ୍କୁ ଗାଳି ଗୁଲଜ ଏବଂ ହତ୍ୟା ଧମକ ଅଭିଯୋଗରେ ବୈଦେଶ୍ଵର ଥାନାରେ ଦାଖଲ ହୋଇଛି ଏତଲା ଏବଂ ରୁଜୁ ହୋଇଛି ମାମଲା .

ବାଙ୍କୀ ଅଞ୍ଚଳରେ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଥିବା ଖବର ଟି ହେଉଛି , ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସିତ ଜେନା ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ !! ବିବାଦ ତ ନୁହେଁ ବରଂ ଏହାକୁ ଏକ ଅଘୋଷିତ ରାଜିନାମା ଭଙ୍ଗ ର ପରିଣତି କୁହାଯାଇପାରେ . ସବୁ କିଛି ସେଟିଙ୍ଗ ରେ ଚାଲିଥିଲା . ବିଗତ ଦିନରେ କରୋନା କଟକଣା ସମୟରେ, କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେଉ କିମ୍ବା ସଟ ଡାଉନ କଟକଣା ଭିତରେ ସରପଞ୍ଚଙ୍କ ଜନ୍ମଦିନ କେକ କଟା ଖବର ହେଉ . ଏପରିକି କୁସୁପଙ୍ଗୀ ପଞ୍ଚାୟତରେ ଘଟୁଥିବା ଛୋଟ ମୋଟ ଘଟଣା ବି ବୋଲଡ ଅକ୍ଷରରେ ପ୍ରକାଶ ପାଉଥିଲା . ଲାଗୁଥିଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏଇ ଗୋଟିଏ ପଞ୍ଚାୟତରେ ରାମରାଜ୍ୟ ଚାଲିଛି . ଏପରିକି କିଛି ଖବରରେ ତ ସମ୍ପୃକ୍ତ ନେତାଙ୍କୁ ଖୋଦ ବିଧାୟକଙ୍କ ପରେ ଦ୍ଵିତୀୟ କ୍ଷମତା କେନ୍ଦ୍ର କହି କେହି କେହି ଖବର ଦେଖାଇଥିଲେ . ହେଲେ ସବୁକିଛି ହଠାତ ବିଗିଡ଼ିଗଲା , ଫେସବୁକ ର ପୋଷ୍ଟ ଦେଖିଲେ ଲାଗୁଛି ଯେମିତି ସେ ପୁରୁଣା ପ୍ରେମ ଆଉ ନାହିଁ . ତେବେ ଏ ସଂପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଥିଲା , ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଣ କାମ ରେ ମେସିନ ର ବ୍ୟବହାର ଏବଂ ବକେୟା ବିଦ୍ୟୁତ ବିଲ ଯୋଗୁଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ବିଦ୍ୟୁତ ସଂଯୋଗ ବିଛିନ୍ନ ଖବର ପ୍ରକାଶନ ପରେ . ତେବେ ଉଭୟ ଘଟଣା ସତ୍ୟ , ଖବର ପ୍ରକାଶନ ପରେ କୁସୁପଙ୍ଗୀ ର ବିଜେଡି ନେତା ଅସିତ ଜେନା ଏତେ ପ୍ରତିକ୍ରିୟାଶୀଳ ହେଲେ କାହିଁକି . ଏହାର ଏକମାତ୍ର କାରଣ ହେଉଛି , ଯେଉଁ ମାନେ ବିଗତ ଦିନରେ ତାଙ୍କ ପକେଟ ରେ ରହି ନିଜ ପକେଟ ଗରମ କରୁଥିଲେ . ସେମାନେ ଏପରି ଖବର ଛାପିଲେ କିପରି ?? ଏକଥା ତାଙ୍କର ହଜମ ହେଲାନାହିଁ !! ତେବେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ତଥା ପ୍ରଶାସନିକ ଅଧିକାରୀଙ୍କ ତଥ୍ୟ ଅନୁସାରେ କୁସୁପଙ୍ଗୀ ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର . ବାଙ୍କୀ ବିଧାୟକଙ୍କର ବ୍ୟାକ ସପୋର୍ଟ ଏବଂ ପୂର୍ବତନ ବିଧାୟକଙ୍କର ଅହେତୁକ ଅନୁକମ୍ପା ପାଇଁ ସେ ମାତ୍ରାଧିକ ଦୁର୍ନୀତିରେ ଲିପ୍ତ ରହିଥିବାର ଦୃଢ ପ୍ରମାଣ ମିଳିଅଛି .

ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ମଧ୍ୟ ଥମିଲା ନାହିଁ ବିବାଦ , ବରଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା ପରସ୍ପରର ଚରିତ୍ର ସଂହାର ହେବା ପରି ପୋଷ୍ଟ . ଆଉ ଏମିତି ପରିସ୍ଥିତିରେ ନିଆଁରେ ଘିଅ ଢ଼ାଳିବା ପରି ମାତିଗଲେ କିଛି ଫେକ ୟୁଜର . କିଏ ସାମ୍ବାଦିକଙ୍କର ବିଅର ବୋତଲ ଧରା ଫଟୋ ପୋଷ୍ଟ କଲା ତ , ଆଉ କିଏ ବିଜେଡି ନେତା ଜଣକ ବାଙ୍କୀ ର ଶୀର୍ଷ ବିଜେଡି ନେତାଙ୍କୁ ଆକ୍ଷେପ କରି ଗାଳି କରୁଥିବାର ଭିଡିଓ . ଏପରିକି ବାଙ୍କୀ ଅଞ୍ଚଳର ବହୁ ହ୍ୱାଟସଆପ ଗ୍ରୁପ ରେ ମଧ୍ୟ ଉଭୟ ପକ୍ଷଙ୍କ ଭିତରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଗାଳି ଗୁଲଜ ର ଅଡିଓ ଭାଇରାଲ ହେଉଛି . ମୂଳ ଘଟଣାକୁ ନେଇ ବାଙ୍କୀ ଏବଂ ବୈଦେଶ୍ଵର ଥାନାରେ ଅଭିଯୋଗ ହେବା ପରେ ବି ପୁଲିସ ର ନୀରବତା ପରିସ୍ଥିତି କୁ ଅଧିକ ବଢ଼ାଉଛି ବୋଲି ବହୁ ଲୋକ ମନ୍ତବ୍ୟ ଦେଉଛନ୍ତି .

ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ରାଜନୈତିକ ମହଲରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି . ନିଜେ ଦୁର୍ନୀତିର ପାହାଡ ଉପରେ ବସି ଗଣମାଧ୍ୟମକୁ ଏପରି ଆକ୍ଷେପ ଏବଂ ଆଶାଳୀନ ବ୍ୟବହାର କରିବା ବିଜେଡି ନେତା ଅସିତ ଜେନାଙ୍କ ପାଇଁ ଆଗାମୀ ଦିନରେ ରାଜନୈତିକ ଦୃଷ୍ଟିକୋଣରୁ ମହଙ୍ଗା ହୋଇପାରେ ବୋଲି ବାଙ୍କୀ ବିଜେଡିର କିଛି ବରିଷ୍ଠ ନେତା ନିଜର ମତ ଦେଇଛନ୍ତି . ତେବେ କିଛି ଯୁବ ବିଜେଡି ନେତା କୁସୁପଙ୍ଗୀ ପଞ୍ଚାୟତରେ ସବୁକିଛି ଠିକଠାକ ଚାଲିଥିବାର କହି ଅସିତ ଜେନାଙ୍କୁ ଦୃଢ ସମର୍ଥନ କରିଛନ୍ତି . ଅନ୍ୟ ପକ୍ଷରେ ବାଙ୍କୀ ବିଜେଡିର ସର୍ବମାନ୍ୟ ଶୀର୍ଷ ନେତା ନଖରେ ନଖ ଘଷି ସିନ ର ମଜା ନେଉଛନ୍ତି . କଂଗେସ ତରଫରୁ କିଛି ପଞ୍ଚାୟତ ସ୍ତରୀୟ ନେତା ଗଣମାଧ୍ୟମ ସପକ୍ଷରେ ବାହାରି ସାମାଜିକ ଗଣମାଧ୍ୟମରେ କଭର ଫାୟାର ଦେଉଥିବା ସମୟରେ ବାଙ୍କୀ କଂଗ୍ରେସ ର ଶୀର୍ଷ ନେତା ସବୁ ଘଟଣା ପରି ଏ ଘଟଣାରେ ମଧ୍ୟ ନିଜକୁ ନିରାପଦ ଦୂରତାରେ ରଖିଛନ୍ତି . ଆଉ ଭାରତୀୟ ଜନତା ପାର୍ଟିର ନେତା ଏବେ ଯାଏଁ ସାଇଲେଣ୍ଟ ମୋଡ଼ ରେ ରହିଛନ୍ତି . ବାଙ୍କୀ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମତରେ , ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ବିଜେଡି ନେତା ଅସିତ ଜେନା ଏପରି ମାତ୍ରାଧିକ ପ୍ରତିକ୍ରିୟାଶୀଳତା ଦେଖାଉଥିବା ସମୟରେ , ଅତୀତରେ ସେହି ଦୁର୍ନୀତି ଖୋର ନେତାଙ୍କ ଠାରୁ କରୋନା ଯୋଦ୍ଧା ସମ୍ମାନ, ମାନପତ୍ର, ଉତ୍ତରୀୟ ତଥା ମୁଦ୍ରିତ ଲଫାପା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କର କଲମ ମଧ୍ୟ ଟାଣ ହୋଇପାରୁ ନାହିଁ !! ଆଗକୁ ପରିସ୍ଥିତି କି ମୋଡ ନେବ ତାହା ଉପରେ ରହିଛି ସମଗ୍ର ବାଙ୍କୀ ବାସୀଙ୍କ ନଜର . ତେବେ ଶେଷ ସୂଚନା ଅନୁସାରେ , ବାଙ୍କୀ ଅଞ୍ଚଳରେ ରାଜନୀତି ଏବଂ ମିଡ଼ିଆ ଉଭୟରେ ଜଡିତ କିଛି ଡବଲ ଷ୍ଟାଣ୍ଡାର୍ଡ କ୍ୟାରେକ୍ଟର ଘଟଣାକୁ ରୁଦ୍ଧଦ୍ୱାର ବୈଠକରେ ଦଫା ରଫା କରିବାକୁ କଜଳପାତିଆ ଭଦ୍ରଲୋକ ଅଭିନୟ ଆରମ୍ଭ କଲେଣି !!!!

LEAVE A REPLY

Please enter your comment!
Please enter your name here