କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ସମ୍ମାନ ସୂଚକ ଡିଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଶନିବାର ପ୍ରତ୍ୟକ୍ଷ ନିୟନ୍ତ୍ରଣ ସେବା ମାଧ୍ୟମରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ ଅନୁଷ୍ଠାନରୁ ଶ୍ରୀ ସାମନ୍ତ ସମ୍ମାନ ସୂଚକ ଡକ୍ଟରେଟ୍ ପାଇଥିବା ବେଳେ ଏହା ତାଙ୍କର ୪୬ତମ ଡକ୍ଟରେଟ୍ ଉପାଧି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁ, ଗୋପାଳନ ଓ ମତ୍ସ୍ୟ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସିକିମ୍ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ଶିକ୍ଷା ଓ ଭୂ-ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଆଇନ୍ ମନ୍ତ୍ରୀ କୁଙ୍ଗ ନିମା ଲେପ୍ଚା, ଶିକ୍ଷା ବିଭାଗ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି.ବି.ଉପାଧ୍ୟାୟ, ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ଗୋୟଲ, କୁଳପତି ଏସ୍ ଏସ୍ ହାସନ୍ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ସାମନ୍ତ ଙ୍କ କାର୍ଯ୍ୟକୁ ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ ସମ୍ମାନ ଓ ସ୍ୱୀକୃତି ଦେଇ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।