ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ମହାମାରୀ କରୋନା । ମହାମାରୀ ପ୍ରଭାବରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟାବହତା ଯୋଗୁଁ ନିଜ ରକ୍ତ ସର୍ମ୍ପକୀୟ ମଧ୍ୟ ପର ସାଜିଛନ୍ତି । ଲୋକେ ଆତଙ୍କିତ ହୋଇ ନିଜ ଆତ୍ମୀୟଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନାହାଁନ୍ତି । ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗ୍ରାମରେ । କନକଲତା ସାହୁ (୫୬ ବର୍ଷ) ନାମକ ଜଣେ ବୃଦ୍ଧା ଥଣ୍ଡା କାଶ ମୁଣ୍ଡ ବିନ୍ଧା ଜ୍ୱର ଆଣ୍ଠୁ ଗଣ୍ଠି ଦରଜ ଆଦି ରୋଗରେ ଆକ୍ରାନ୍ତ ହୋଇଥିଲେ । ପରେ ନିଜର କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ବାହାରିଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ସେ ନିଜେ ସଙ୍ଗରୋଧରେ ରହିଥିଲେ । ହେଲେ ଶେଷରେ ହାରିଗଲେ ମହାମାରୀ କରୋନା ପାଖରେ , ରୋଗର ପ୍ରଭାବରେ ତାଙ୍କର ମୃତ୍ୟୁ ହୋଇଥିଲା , କିନ୍ତୁ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ପାରିଲା ନାହିଁ । ଏପରିକି ତାଙ୍କର ଜଣେ ପୁଅ ଓ ପଡ଼ୋଶୀ ତଥା ଗ୍ରାମବାସୀ କେହି ବି ଶବ ସତ୍କାର କରିବା ତ ଦୂରର କଥା ପାଖ ମାଡ଼ିନଥିଲେ । ଶେଷରେ ମୃତ ମହିଳାଙ୍କ ସାନ ପୁଅ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଯୋଗାଯୋଗ କରିଥିଲେ । ଖବରପାଇ କିନ୍ନର ଚିନ୍ମୟୀ ଅନୁଗୋଳରୁ ଛେଣ୍ଡିପଦାକୁ ତୁରନ୍ତ ବହାରି ଯାଇଥିଲେ । ପରେ ଚିନ୍ମୟୀ PPE କିଟ ପିନ୍ଧି ମୃତ ମହିଳାଙ୍କ ଜଣେ ପୁଅ ସହ ଏକ ବାଇକରେ ମୃତଦେହ ଧରି ଗାଁ ମଶାଣୀକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କରିଥିଲେ । ମହିଳାଙ୍କ ସ୍ୱାମୀ ଓ ପରେ ଅନ୍ୟ ଜଣେ ପୁଅ ମଶାଣିରେ ପହଞ୍ଚିଥିଲେ । କେବଳ ଛେଣ୍ଡିପଦା ନୁହେଁ , ଅନୁଗୁଳ ଜିଲ୍ଲା ମଧ୍ୟରେ କୌଣସି ସ୍ଥାନରେ ବି କରୋନା ଆକ୍ରାନ୍ତଙ୍କ ଶବ ସଂସ୍କାର କରିବା ପାଇଁ ଡାକରା ଆସିଲେ ପହଞ୍ଚି ଯାଉଛନ୍ତି ଚିନ୍ମୟୀ କିନ୍ନର . ମହାମାରୀ ସଂକ୍ରମଣ ପରି ଜଟିଳ ପରିସ୍ଥିତିରେ ଚିନ୍ମୟୀ ପାଲଟିଛନ୍ତି ମୃତକଙ୍କ ଅନ୍ତିମ ଯାତ୍ରାର ସାଥି । ସମାଜସେବୀ କିନ୍ନର ଚିନ୍ମୟୀ ଦାସ ଙ୍କ ଏପରି କାମକୁ ଆମେ କରୁଛୁ ସଲାମ ।