ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ପଞ୍ଚାୟତ ସମିତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଟୀକା କରଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । 45 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ଼ ଟୀକା ଦେବାର ବ୍ୟବସ୍ଥା ଅଛି । ପ୍ରଥମ ଡୋଜ ଦେବାର 84 ଦିନ ପରେ ଟୀକାକରଣ ଦ୍ୱିତୀୟ ଡୋଜ ଦେବାର ବ୍ୟବସ୍ଥା ଅଛି । ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବିଭିନ୍ନ ବିଭାଗର କୋଭିଡ଼ ଯୋଦ୍ଧା ମାନଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା ଥିବା ସମ୍ପର୍କରେ ସୂଚନା ଦିଆଯାଇଛି ।
ନିମ୍ନ ଲିଖିତ ପରାମର୍ଶ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି, କୋଭିଡ଼ ରୋଗୀ ସୁସ୍ଥ ହେବାର ତିନି ମାସ ପରେ ଟୀକା ଗ୍ରହଣ କରିପାରିବେ । ପ୍ଲାଜମା ଗ୍ରହଣ କରି ସୁସ୍ଥ ହୋଇଥିବା କୋଭିଡ଼ ରୋଗୀ ତିନି ମାସ ପରେ ଟୀକା ଗ୍ରହଣ କରି ପାରିବେ । କୌଣସି ଗୁରୁତର ରୋଗୀ ଆଇ.ସି.ୟୁରେ ରହି ଚିକିତ୍ସା ହୋଇଥିଲେ 4 ରୁ 8 ସପ୍ତାହ ପରେ କୋଭିଡ଼ ଟୀକା ଗ୍ରହଣ କରିପାରିବେ । କୋଭିଡ଼ ଟୀକା ଗ୍ରହଣର 14 ଦିନ ପରେ ରକ୍ତଦାନ କରି ପାରିବେ । କୋଭିଡ଼ ଟୀକାକରଣ ପୂର୍ବରୁ କୋଭିଡ଼ ପରୀକ୍ଷା କରିବା ଜରୁରୀ ନୁହେଁ । ସରକାର ଙ୍କ ପରିବର୍ତ୍ତିତ ନିୟମ ଅନୁଯାୟୀ ସନ୍ତାନକୁ ଦୁଗ୍ଧପାନ କରାଉଥିବା ପ୍ରସୂତି ମାଆ ମାନେ ମଧ୍ୟ ଟୀକା ଗ୍ରହଣ କରିପାରିବେ । 18 ରୁ 44 ବର୍ଷର ବ୍ୟକ୍ତି ମାନଙ୍କ ପାଇଁ ଟୀକା କରଣ ଗଜପତି ଜିଲ୍ଲାରେ ଆରମ୍ଭ ହୋଇନାହିଁ, ଏହି ଦିଗରେ ତଥ୍ୟ ଆଗାମୀ ଦିନରେ ଜଣାଇ ଦିଆଯିବ । ବର୍ତ୍ତମାନ ଜିଲ୍ଲାରେ 27 ଗୋଟି କେନ୍ଦ୍ରରୁ ଟୀକା କରଣ କରିବାର ବ୍ୟବସ୍ଥା ଥିଲେ ସୁଦ୍ଧା ଆଜିର ଦିନରେ 11 ଗୋଟି କେନ୍ଦ୍ରରେ ଟୀକା ଦିଆ ଚାଲିଛି । ଜିଲ୍ଲାରେ ଆଜି ସୁଦ୍ଧା 63,367 ଜଣ ଟୀକାକରଣ ପ୍ରଥମ ଡୋଜ ଗ୍ରହଣ କରିଥିବା ବେଳେ,20 ହଜାର 646 ଜଣ ଦ୍ଵିତୀୟ ଡୋଜ ଟୀକା କରଣ ଗ୍ରହଣ କରି ସାରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଅଛି ।