ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜରାଜୀର୍ଣ୍ଣ କାକାଲୁଙ୍ଗ ବ୍ରିଜ୍କୁ ନେଇ ଚିନ୍ତାରେ ୧୦ ହଜାର ଜନସାଧାରଣ , ନୂତନ ବ୍ରିଜ୍ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ ! ନୂତନ ବ୍ରିଜ୍ ନିର୍ମାଣ ନହେଲେ ନିର୍ବାଚନ ବର୍ଜନ ସହ ବଡ଼ ଆନ୍ଦୋଳନ ଚେତାବନୀ ! ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା କାକାଲୁଙ୍ଗ ବ୍ରିଜ୍ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି ବ୍ରିଜ୍ ଉପରେ ପ୍ରାୟ ୧୦ ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ ଏହାର ଦୟନୀୟ ସ୍ଥିତି ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବୃଦ୍ଧି ପାଇଛି । ପ୍ରତିଦିନ ଏହି ବ୍ରିଜ୍ ଦେଇ ବହୁ ସଂଖ୍ୟାରେ ଯାନବାହନ ଯାତାୟାତ କରୁଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଲୋକମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ ଯାତାୟାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ରିଜ୍ର ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି ବୋଲି ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ସମସ୍ୟାର ସମାଧାନ ଏବଂ ନୂତନ ବ୍ରିଜ୍ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ନହେବା ଯୋଗୁଁ ଅଞ୍ଚଳବାସୀଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଖୋଲା ଚେତାବନୀ ଦିଆଯାଇଛି ଯେ, ଅତିଶୀଘ୍ର ନୂତନ ବ୍ରିଜ୍ ନିର୍ମାଣ ପାଇଁ ଠୋସ୍ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ନିର୍ବାଚନ ବର୍ଜନ କରିବା ସହିତ ବଡ଼ଧରଣର ଜନଆନ୍ଦୋଳନ କରାଯିବ । ଏବେ ଅଞ୍ଚଳବାସୀଙ୍କ ମୁଖ୍ୟ ଦାବି ହେଉଛି, କାକାଲୁଙ୍ଗ ବ୍ରିଜ୍ର ତୁରନ୍ତ ଯାଞ୍ଚ କରାଯାଇ ଏହାର ସୁରକ୍ଷା ସୁନିଶ୍ଚିତ କରିବା ସହ ନୂତନ ବ୍ରିଜ୍ ନିର୍ମାଣ ପାଇଁ ଶୀଘ୍ର ଅନୁମୋଦନ ଓ କାର୍ଯ୍ୟାରମ୍ଭ କରାଯାଉ। ଜନସାଧାରଣଙ୍କ ଜୀବନ ଓ ଯାତାୟାତର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଜରାଜୀର୍ଣ୍ଣ କାକାଲୁଙ୍ଗ ବ୍ରିଜ୍କୁ ନେଇ ଚିନ୍ତାରେ ୧୦ ହଜାର ଜନସାଧାରଣ : ନୂତନ ବ୍ରିଜ୍ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ !!!

