ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ , କୋରାପୁଟ ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ! ଓଡ଼ିଶାର ଅମର ସନ୍ତାନ, ମହାନ ଜନନାୟକ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ କୋରାପୁଟ ଜିଲ୍ଲାରେ ବେଶ୍ ଉତ୍ସାହ ଓ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅତିଥିମାନେ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ତାଙ୍କର ଅମର ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟ ବିଧାୟକ ରଘୁରାମ ମାଚ୍ଛ ଗୋପବନ୍ଧୁଙ୍କ ଆଦର୍ଶକୁ ମନେ ପକାଇ କହିଥିଲେ, “ଗୋପବନ୍ଧୁ କେବଳ ଏକ ବ୍ୟକ୍ତି ନୁହଁନ୍ତି, ସେ ଥିଲେ ଏକ ଯୁଗ, ଏକ ଚିନ୍ତାଧାରା ଏବଂ ଓଡ଼ିଶାର ପ୍ରାଣସ୍ପନ୍ଦନ । ତ୍ୟାଗ, ସେବା ଓ ମାନବିକତାର ଯେଉଁ ବାର୍ତ୍ତା ସେ ଦେଇ ଯାଇଛନ୍ତି, ତାହା ଆଜିର ସମାଜ ପାଇଁ ଅଧିକ ପ୍ରାସଙ୍ଗିକ ଏବଂ ଆମ ସମସ୍ତଙ୍କ ପାଇଁ ଏହା ଅନୁସରଣୀୟ । ଏହି ସ୍ମୃତିଚାରଣ ସଭା ଏବଂ ମାଲ୍ୟାର୍ପଣ ଉତ୍ସବରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହାସହ ସ୍ମୃତି କମିଟିର ସମସ୍ତ ସଭ୍ୟମାନେ ଗୋପବନ୍ଧୁ ସେବା ସମିତି ର ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି ସ୍ମରଣୀୟ ଦିବସକୁ କଭର୍ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ଓ ସୁରୁଖୁରୁରେ ସମ୍ପାଦନ କରିବାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଷ୍ଟୋର୍ କିପର୍ ସନ୍ତୋଷ ସେଠୀ ଏବଂ ପ୍ରୋଜେକ୍ସନିଷ୍ଟ ଅଲିଭା କୁମାର ବେହେରା ପ୍ରମୁଖ ସକ୍ରିୟ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

 

Leave a Reply

Your email address will not be published. Required fields are marked *