କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଚାଲିଛି ଗୋଟାଏ ପରେ ଗୋଟାଏ ଜୀବନ । ସଂକ୍ରମଣର ଭୟ ଲୋକଙ୍କୁ ଏମିତି ଘାରିଛି ଯେ, ନିଜ ଲୋକ ବି ମୁହଁ ମୋଡି ଚାଲି ଯାଉଛନ୍ତି । ଅନେକ ସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବଦାହ କରିବା ପାଇଁ ମିଳୁନାହାନ୍ତି କେହି । ଏପରିକି ନିଜ ଲୋକ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଶବଦାହ ପାଇଁ । ପ୍ରଶାସନ ପକ୍ଷରୁ ପିପିଇ କିଟ୍ ପ୍ରଦାନ କରାଯାଇ ଶବ ଦାହ ପାଇଁ ପରାମର୍ଶ ଦିଆ ଯାଉଥିଲେ ମଧ୍ୟ ସେଠାରୁ ଦୂରେଇ ରହୁଛନ୍ତି ବହୁ ନିଜ ଲୋକ । ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ଗୁରୁତର ସାମାଜିକ ସମସ୍ୟା ଭାବେ ଠିଆ ହୋଇଛି । ତେବେ ଜୀବନ ଓ ମୃତ୍ୟୁର ବିପଦ ବେଳେ ଦୁଆରେ ଠିଆ ହୋଇ ସହଯୋଗର ହାତ ବଢାଉଛନ୍ତି କନ୍ଧମାଳ ଜିଲାରେ ଜଣାଶୁଣା ସାମାଜିକ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟ । ଆଜି ଏଭଳି ଏକ କାର୍ଯ୍ୟ କରି ଟିକାବାଲି ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି ଉକ୍ତ ଅଞ୍ଚଳରେ ରହୁଥିବା ଟିମର ସଦସ୍ୟ ମାନେ । ତେବେ କେବଳ ଆଜି ନୁହେଁ , ଗତ ଦିନରେ ମଧ୍ୟ ବିିଭିନ୍ନ ଅଞ୍ଚଳରେ ଏହି ସମସ୍ୟାର ସମାଧାନର ଦାୟିତ୍ୱ ନିଜ ଉପରକୁ ନେଇଛି କନ୍ଧମାଳର ଅଗ୍ରଣି ସାମାଜିକ ଅନୁଷ୍ଠାନ ଟିମ ହ୍ୟୁମାନିଟି । ଗୁରୁବାର ଟିକାବାଲି ତେନ୍ତୁଳିଗଡ ଅଞ୍ଚଳର ଜନୈକା କୋଭିଡ ସଂକ୍ରମିତା ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ଶବ ସତ୍କାର କରିବା ପାଇଁ କେହି ବାହାରି ନ ଥିଲେ । ପାଖ ପଡ଼ିଶା ମଧ୍ୟ ପ୍ରସ୍ତୁତ ହୋଇ ନଥିଲେ । ପରିବାରର ସଦସ୍ୟ ମାନେ ଚିନ୍ତାରେ ପଡ଼ିଯାଇଥିବା ବେଳେ ଖବର ପାଇ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲେ ଟିକାବାଲି ଟିମ ହ୍ୟୁମାନିଟିର ସଦସ୍ୟ ହିରୋ ନାୟକ, ନୀଳମାଧବ ପାତ୍ର, ସନ୍ତୋଷ ସୁବୁଦ୍ଧି ଓ ଚିଣ୍ଟୁ ପଟ୍ଟନାୟକ । ସ୍ଥାନୀୟ ମେଡିକାଲ ଅଫିସର, ବିଡିଓ, ବିପିଏମ, ତହସିଲଦାର, ଆରଆଇ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ କୋଭିଡ ନିୟମ ପ୍ରକାରେ ମହିଳାଙ୍କ ଶବ ସତ୍କାର କରାଯାଇଥିଲା । ପ୍ରଶାସନ ପକ୍ଷରୁ ଚିହ୍ନଟ ଶ୍ମଶାନରେ କୋଭିଡ଼ ନିୟମ ଅନୁସାରେ ଏହି ୪ ଜଣ ଯୁବ ସ୍ୱେଚ୍ଛାସେବୀ ଶବ ଶତ୍କାର କରିଥିଲେ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ମହତ କାର୍ଯ୍ୟ ସମାପନ କରି ସାରିଛନ୍ତି ଟିମ ହ୍ୟୁମାନିଟିର ଏହି ସଦସ୍ୟ ମାନେ । ଏଭଳି ନିସ୍ୱାର୍ଥପର କାର୍ଯ୍ୟ ପାଇଁ ଜିଲାସାରା ଟିମ ହ୍ୟୁମାନିଟିକୁ ସାଧୁବାଦ ଜଣାଯିବା ସହ ସେମାନଙ୍କ ପାଇଁ ଜିଲା ଗର୍ବିତ ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।