ଗଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ନୂତନ କୃଷି ଆଇନ ପ୍ରତ୍ୟାହାର ସହ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି , ସ୍ୱାମୀନାଥନ କମିସନ ସୁପାରିଶ ଲାଗୁ କରାଯିବା ନେଇ ନେଇ ଗତ ଛ’ଅ ମାସରୁ ଅଧିକ ସମୟ ଧରି ଦେଶର ଅନ୍ନଦାତା ମାନେ ଆନ୍ଦୋଳନ ଚଳାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କୃଷକ ମାନକଂର ସମସ୍ୟା ନେଇ ମୁହଁ ନ ଖୋଲି ସଂପୂର୍ଣ୍ଣ ଚୁପ ରହିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ କହିଛନ୍ତି ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜୁ ଜନତା ଦଳ ନିଜର ନିର୍ବାଚନୀ ଇସ୍ତାହାରରେ କୃଷକ ମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରତିଶୃତି ଦେଇଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବ ବୋଲି ନିର୍ଦିଷ୍ଟ ଭାବେ ଇସ୍ତାହାରରେ ଉଲ୍ଲେଖ ଥିଲା । ଏହାସହ ନିର୍ବାଚନ ପୂର୍ବରୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ଭାବେ ନେଇ ବେଶ ତୁମ୍ବି ତୋଫାନ କରିଥିଲା । କିନ୍ତୁ ଜିତିବା ପରେ ବିଜେଡି ସରଳ ଓଡିଶାବାସୀ ଙ୍କୁ ଧୋକ୍କା ଦେଇଛି ବୋଲି ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି । କୃଷି ଓ କୃଷକ ମାନଙ୍କ ପ୍ରସଙ୍ଗରେ ଦେଶରେ କଂଗ୍ରେସ ଦଳ ସମେତ ୧୨ଟି ପ୍ରମୁଖ ରାଜନୈତିକ ଦଳ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ପ୍ରତିବାଦକୁ ସମର୍ଥନ ଦେଉଥିବା ବେଳେ ବିଜେଡି ଏହା ଠାରୁ ଦୂରେଇ ରହିଛି । ଖାଲି ସେତିକି ନୁହଁ ଗତ ମଇ ୧୨ ତାରିଖରେ ବି ଏହି ରାଜନୈତିକ ଦଳ ମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ମଧ୍ୟ ବିଜେଡି ଏହା ଠାରୁ ଦୂରେଇ ରହିଥିଲା, ଯାହା ଏବେ ବିଜେଡିର ନୈତିକତା ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ନାଇଡୁ କ୍ଷୋଭର ସହ କହିଛନ୍ତି । ରାଜ୍ୟର କୃଷି କ୍ଷେତ୍ରକୁ ଗଂଜାମ ଓ ଗଜପତି ଜିଲ୍ଲାର ବିଶେଷ ଅବଦାନ ଥିବା ବେଳେ ଏ ଦୁଇ ଜିଲ୍ଲାର କୃଷକ ବେଶ ଦୟନୀୟ ଅବସ୍ଥାରେ ଅଛନ୍ତି । ଗଂଜାମର ଧାନ ଚାଷୀ ଓ ଗଜପତି ଜିଲ୍ଲାର ମକା ଚାଷୀ ସବୁବେଳେ କ୍ଷତି ସହି ଆସୁଛନ୍ତି । ସରକାରୀ ଧାର୍ଯ୍ୟ ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଓ ମକା ର ମୂଲ୍ୟ ୧୮୫୦ ରହିଥିବା ବେଳେ ଚାଷୀ ପ୍ରଚୁର କ୍ଷତି ସହୁଛି । ଏପରିକି ସମୟେ ସମୟେ ଏହା ଠାରୁ ଢେର କମ ଦାମରେ ବି ଚାଷୀ ନିଜର ଶସ୍ୟ ବିକ୍ରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ଚାଷୀର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବିଜେଡି ନିଜର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ନାଇଡୁ ଦାବୀ କରିବା ସହ କୃଷକ ମାନଙ୍କ ପ୍ରତିବାଦ ଦିବସକୁ ସମର୍ଥନ ଜଣାଇବାକୁ ସେ ଜନସାାଧାରଣ ଙ୍କୁ ନିବେଦନ କରିଛନ୍ତି।।