ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ବହୁଳ ପଲିଥିନ ବ୍ୟବହାର ଦ୍ୱାରା ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ସଙ୍ଗେ ସଙ୍ଗେ ପରିବେଶକୁ ଦୂଷିତ କରୁଛି । ଆଜିକାର ସଭ୍ୟ ଶିକ୍ଷିତ ସମାଜରେ ପଲିଥିନ ବ୍ୟବହାର ଅପକାରିତା ସମ୍ପର୍କରେ ସମସ୍ତେ ଅବଗତ ଥିଲେ ବି ପଲିଥିନ ଜିନିଷ ନେବା ଆଣିବାରେ ଏକ ସହଜ ସାଧ୍ୟ ମାଧ୍ୟମ ହୋଇଥିବାରୁ ଏହାର ବହୁଳ ବ୍ୟବହାର ହେଉଅଛି । ଏପରିକି ଚା ଦୋକାନ ଠାରୁ ଆରମ୍ଭ କରି ପନିପରିବା, ତେଜରାତି ଦୋକାନ, ଜଳଖିଆ ଦୋକାନ, ଗୁପଚୁପ ଷ୍ଟଲ, ଚାଟ ଷ୍ଟଲ, ଫାଷ୍ଟ ଫୁଡ଼ ଦୋକାନ, ବିଭିନ୍ନ ହୋଟେଲ ବଜାର ସବୁଠାରେ ପଲିଥିନ ବ୍ୟବହାର ବଢ଼ିବାରେ ଲାଗିଛି ।
ପଲିଥିନ ରେ ବଳକା ଥିବା ଖାଦ୍ୟ ପଦାର୍ଥକୁ ରାସ୍ତାକଡରେ ଫୋପାଡ଼ି ଦେଉଥିବା ବେଳେ ସେଥିରେ ଥିବା ଖାଦ୍ୟକୁ ଖାଇବାକୁ ଯାଇ ଗାଈ ଗୋରୁ ଓ ଅନ୍ୟାନ୍ୟ ପଶୁ ମାନେ ଅକାଳ ମୃତ୍ୟୁ ହେଉଥିବାର ଲକ୍ଷ୍ୟ କରାଯାଉଛି । ତେଣୁ ପଲିଥିନ ବ୍ୟବହାରର ଅପକାରିତାକୁ ଆଖି ଆଗରେ ରଖି ସରକାର ଏହାର ବ୍ୟବହାରକୁ ନିଷିଦ୍ଧ କରିଥିଲେ ସୁଦ୍ଧା ଏହା ନାଲି ଫିତା ତଳେ ଚାପି ହୋଇ ଯାଇଥିବା ଲକ୍ଷ୍ୟ କରାଯାଇଛି । ତେଣୁ ପଲିଥିନ ବ୍ୟବହାର ଅପକାରିତା ପ୍ରତି ପ୍ରଶାସନ ଲୋକଙ୍କୁ ପଥପ୍ରାନ୍ତ ନାଟକ, ବିଜ୍ଞାପନ, ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରି ପଲିଥିନ ବ୍ୟବହାର ରୋକ ଲଗାଇବାକୁ ବୁଦ୍ଧିଜୀବୀ ଓ ପରିବେଶବିତଙ୍କ ପକ୍ଷରୁ ଦାବି ହେଉଛି । ଏତଦ ବ୍ୟତୀତ ପଲିଥିନ ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ ଓ ବ୍ୟବହାର କରୁଥିବା ଦୋକାନ ଗୁଡିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତତକାଳ ଏହାର ଲାଭ ମିଳିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।