କନ୍ଧମାଳରେ କାଳବୈଶାଖିର କରାଳ ରୂପ !!!

Spread the love

କନ୍ଧମାଳ (ଆୱାଜ଼ ମିଡ଼ିଆ)- ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲାରେ କରୋନା ଠାରୁ ବଳି ପଡିଛି କାଳବୈଶାଖିର କରାଳ ରୂପ । କାଳବୈଶାଖିର ପ୍ରଭାବ ସମଗ୍ର ଜିଲାର ପ୍ରାୟ ଅଞ୍ଚଳରେ ଦେଖାଯାଇଥିବା ବେଳେ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପଡିଥିଲା। ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଘରଦ୍ୱାରା ମଧ୍ୟ ଭାଙ୍ଗିରୁଜି ଯାଇଛି। ତେବେ କନ୍ଧମାଳ ଜିଲାର କ.ନୂଆଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖିର ତାଣ୍ଡବ ସମସ୍ତଙ୍କୁ ଚକିତ କରିଥିଲା। ଏହି ବ୍ଳକ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ କେବଳ ୧୫୦ରୁ ଅଧିକ ଘର ଭାଙ୍ଗି ଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ପବନ ଯୋଗୁଁ ଡ଼ାମିସାହି, ତେଲିସାହି, ପାଟଖଣ୍ଡା ସାହି, କର୍ଣ୍ଣାଟପୁର ସାହି ଆଦିରେ ପ୍ରାୟ ୭୦ଟି ଘରର ଆଜବେଷ୍ଟସ ଉଡ଼ିଯାଇଛି। ସେହିଭଳି କୁଡ଼ୁପାକିଆ, ସିର୍ତ୍ତିଗୁଡା, ବଣଗୁଡ଼ା ଆଦି ପଞ୍ଚାୟତରେ ମଧ୍ୟ ପ୍ରାୟ ୯୦ଟି ଘର ଭାଙ୍ଗି ପଡ଼ିଥିବା ଖବର ମିଳିଛି। ତେବେ କର୍ଣ୍ଣାଟପୁର ସାହିର ଧର୍ମେନ୍ଦ୍ର ଦିଗାଲଙ୍କ ସ୍ତ୍ରୀ ଓ ତିନିଛୁଆ ଘରେ ଶୋଇଥିବା ବେଳେ ଏକ ଜାମୁକୋଳି ଗଛ ଘର ଉପରେ ପଡ଼ିଯାଇଥିଲେ ମଧ୍ୟ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ କ. ନୂଆଗାଁ ତହସିଲ୍‍ଦାର ମନୋଜ କୁମାର ଦେବଦତ୍ତ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଆର୍‍.ଆଇ ଶୁଭଶ୍ରୀ ପ୍ରିୟଦର୍ଶନୀ ସାହୁ ,ସରପଞ୍ଚ ନୀଳିମା ମଲିକ ଓ ଅନ୍ୟମାନେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହିତ ପିଡ଼ିତ ପରିବାରକୁ ସାକ୍ଷାତ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଘର ଭାଙ୍ଗି ପଡ଼ିଥିବାରୁ ଅନେକ ପରିବାର ପଡୋଶୀ ଘର ମାନଙ୍କରେ ଆଶ୍ରୟ ନେଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *