ବୋଲଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କେବଳ ଯାହା ପଞ୍ଚାୟତ ନାମରେ ଧଳା ଶବ୍ଦ ଟି ଲାଗିଛି , ନହେଲେ ଆଉ ସବୁ କଳା . ନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ କ୍ଷମତା ହରଣ ଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ , ଆଲୋକୀକରଣ , ବନୀକରଣ , କୋଭିଡ ପରିଚାଳନା , ମିଶନ ଶକ୍ତି ଗୃହ ନିର୍ମାଣ , ପାଇଖାନା ତିଆରି , ସ୍କୁଲ ପରିସରରେ ସାଇକେଲ ଷ୍ଟାଣ୍ଡ , ପୋଖରୀ ଖୋଳା , ପୋଖରୀ ପାହାଚ ପର୍ଯ୍ୟନ୍ତ ସବୁଥିରେ ଘୋଟଲାର କଳା କାରନାମା . ଏ ସବୁ ଚର୍ଚ୍ଚିତ ଘୋଟଲା ଉପରୁ ପର୍ଦା ହଟିଲା ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମିଳିବା ପରେ . ଆଉ ସବୁଠାରୁ ସାଙ୍ଘାତିକ କଥା ହେଲା ଏ ସମସ୍ତ ଘୋଟଲାର ମାଷ୍ଟର ମାଇଣ୍ଡ ହେଉଛନ୍ତି ବିଭାଗୀୟ ଜେଇ . ମାଲ ଦେଲେ ଗାଡ଼ିଆ କୁ ହ୍ରଦ ବୋଲି ଲେଖି ବିଲ କରିବାରେ ପୁରା ଓସ୍ତାଦ ହେଉଛନ୍ତି ସମ୍ପୃକ୍ତ ଜେଇ ମନୋରଞ୍ଜନ ବାବୁ . ତେବେ ଘୋଟଲା ଟିମ ର କ୍ୟାପଟେନ ସାଜିଛନ୍ତି ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ . ଆଉ ନିଜକୁ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ନୋମିନି ବୋଲି କହୁଥିବା ବ୍ୟକ୍ତି ଦୁହେଁ , ଚୁପଚାପ ଅମ୍ପାୟାର ହୋଇ ପୁରା ଖେଳ ପରିଚାଳନା କରୁଛନ୍ତି . ହେଲେ ସବୁ ଘୋଟାଲାରେ କମିଶନି ପୁରା ଅଧା କୁ ଅଧା . ଯାହା ହେଲେ ସବୁ ରିସ୍କ ଆଉ ବଦନାମୀ ତାଙ୍କ ମୁଣ୍ଡରେ ଯିବ ନାଁ . ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତର କଥା . ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟରୁ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ଘୋଟଲାର ଅଧ୍ୟାୟ ସାମନାକୁ ଆସିଛି !
ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଗୃହୀତ ଏବଂ ସମ୍ପନ୍ନ ହୋଇଥିବା ଯୋଜନା ତାଲିକାରୁ ଜଣାଯାଇଛି ଯେ , ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତରେ ଅବସ୍ଥିତ ଧଳାପଥର ନୋଡାଲ ଉପ୍ରା ବିଦ୍ୟାଳୟ ହତା ଭିତରେ ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କରାଯାଇଛି . ବିଦ୍ୟାଳୟ ପରିସରରେ କାମର ବିବରଣୀ ଥାଇ ଏକ ଫଳକ ମଧ୍ୟ ଲାଗିଅଛି . ତେବେ ରାସ୍ତା ପାର୍ଶ୍ୱରେ ଗଛ ଲଗାଇବା ପାଇଁ ଉଦ୍ଦିଷ୍ଟ ଯୋଜନାକୁ କାହିଁକି ଏବଂ କାହା ସ୍ୱାର୍ଥରେ ପାଚେରୀ ଘେରା ସ୍କୁଲ ହତା ଭିତରେ କରାଗଲା ତାର ଉତ୍ତର କାହା ପାଖରେ ନାହିଁ . ତେବେ ଗଛର ନାମ , ମାନ ଏବେ ପରିମାଣ ବିଷୟରେ ଭୁଲ ତଥ୍ୟ ପ୍ରଦାନ କରାଯାଇ ଅର୍ଥ ହଡପ ହୋଇଥିବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା . ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲାପାଳ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ମଧ୍ୟ ହୋଇଅଛି . ପୁନଶ୍ଚ ବିଦ୍ୟାଳୟ ଭିତରେ ଜଳ ଯୋଗାଣ ପାଇଁ ପାଣି ର ବ୍ୟବସ୍ଥା ଥିବା ବେଳେ ଗଛର ରକ୍ଷଣାବେକ୍ଷଣ ଏବଂ ଜଳ ଯୋଗାଣ ନାମରେ ମିଥ୍ୟା ବିଲ ହୋଇଥିବାର ଅଭିଯୋଗ ଆସିଛି .
ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ , ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ଏବଂ ମାନ୍ୟବର ଲୋକାୟୁକ୍ତଙ୍କ ପାଖରେ ଦରଖାସ୍ତ କରିଛନ୍ତି ଗ୍ରାମବାସୀ . ତେବେ ରାଜନୈତିକ ଛାତ୍ରଛାୟା ତଳେ ଥିବା ନିର୍ବାଚିତ ପ୍ରତିନିଧିଙ୍କ ତଥା କଥିତ ନୋମିନି ମାନେ ସରକାରୀ ଅଧିକାରୀ ଏବଂ ବିଭାଗୀୟ ଜେଇ ଙ୍କୁ ହାତ ବାରିସୀ କରି ସମସ୍ତ ପ୍ରକାର କାମରେ ଅର୍ଥ ବାଟମାରଣା କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି . ଗ୍ରାମବାସୀଙ୍କ ଅଭିଯୋଗ , ବିଭାଗୀୟ ଉଚ୍ଚ କାର୍ଯ୍ୟାଳୟରୁ ପ୍ରାପ୍ତ ବିବରଣୀ ଏବଂ ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ସମସ୍ତ ତଥ୍ୟ ଆଧାରରେ ଧଳାପଥର ପଞ୍ଚାୟତର କଳା କାରନାମା ଓ କେଳେଙ୍କାରୀରେ ଚିଠା ବହୁତ ଲମ୍ବା . ଗୋଟିଏ ଖବରରେ ସେ ସମସ୍ତ ବିଷୟ ସ୍ଥାନିତ କରିବା ଆମ ପାଇଁ ଦୁରୂହ ବ୍ୟାପାର . ତେଣୁ ମହା ଦୁର୍ନୀତି ଗ୍ରନ୍ଥର ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଧକୁ ଏଇଠି ରଖୁଛୁ . . . . କ୍ରମଶଃ !!!!